– ୬ ଥାକିଆ ହେବ କୋଣାର୍କ ରିଂଗ୍ ରୋଡ୍ , ନିର୍ମାଣ ହେବ କୋଣାର୍କ ଏଂଟ୍ରି ପ୍ଲାଜା
-୨୧ ଦିନରେ ମତାମତ ଦେଇପାରିବେ ଜନସାଧାରଣ
ଭୁବନେଶ୍ୱର: କୋଣାର୍କ ଅଂଚଳରେ ଭିତିଭୂମି ବିକାଶକୁ ଆନ୍ତଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଚିଠା ଯୋଜନା ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ ।
କୋଣାର୍କ ମନ୍ଦିରର ପାରିପାର୍ଶିକ ଅଂଚଳର ଭିତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା, ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପଏଂଟର ବିକାଶ କରାଯିବ । ଫେରିବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ । ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କେପିଂ କରାଯିବ । ପ୍ରବେଶସ୍ଥଳ ରେ ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଂଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ ମଲ୍ଟି ମୋଡାଲ ହବ୍ ନିର୍ମାଣ କରାଯିବ ।
କୋଣାର୍କ ମୁକ୍ତାକାଶ ରଂଗମଂଚର ପୁର୍ନବିନ୍ୟାସ କରାଯିବ । ଐତିହ୍ୟ ଅଂଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ ।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ôଥକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ ।
କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାବ୍ଦୀର ଏହି ଅନୁପମ କୀର୍ତି ତାର ଅବିଶ୍ୱସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ୱର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଆସିଛି । ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିର ର ମୁଖ୍ୟ ଅଂଶ ଭାଂଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀ ମାନଙ୍କର ଦକ୍ଷତାର ଜୟଗାନ କରିଆସୁଛି ।
ଏହି ମନ୍ଦିର ତତ୍କାଳୀନ ଓଡିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ । ମନ୍ଦିର ଗାତ୍ରରେ ଜିରାଫର ଚିତ୍ର ଆଫ୍ରିକୀୟ ଦେଶ ମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ ମସିହାରେ ୟୁନେସ୍କୋ କୋଣାର୍କକୁ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ ସଚିବ ଉପସ୍ଥାପନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।