ମାଣପୁର ପାନୀୟ ଜଳ ପ୍ରକଳ୍ପ ୪ ବର୍ଷ ହେବ ଅଚଳ : ପାଣି ପାଇଁ ଲୋକମାନେ ହନ୍ତସନ୍ତ

କଟକ ସଦର : ନିଶ୍ଚିନ୍ତକୋଇଲି ବ୍ଲକ କିଶନନଗର ତହସିଲ ଅନ୍ତର୍ଗତ ମାଣପୁର ପଞ୍ଚାୟତରେ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ‌ହେବ ଅଚଳ ହୋଇ ପଡ଼ିଥିବାରୁ ଉକ୍ତ ଅଂଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଫଳରେ ଘରେ ଘରେ ପାନୀୟ ଜଳ ମିଳିବାର ସରକାରୀ ଯୋଜନା ଏକ ପ୍ରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି । କଟକ ସଦର ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏହି ପଞ୍ଚାୟତରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ହେବ ପାଣି ଟାଙ୍କି ନିମ୍ନ ମାନର କାର୍ଯ୍ୟ କରାଯାଇ କେବଳ ଅଧା ପନ୍ତିରୀଆ ଭାବେ କାର୍ଯ୍ୟ ବନ୍ଦ କରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ପାନୀୟ ଜଳ ପାଇଁ ଲୋକେ ଗୋଟେ ଦୁଇଟି ନଳକୂପ ନିକଟରେ ଧାଡ଼ି ହୋଇ ପାଣି ନେବାକୁ ବାଧ୍ୟ ହେଉଛନ୍ତି । ହରିଜନ ବସ୍ତି ଗୁଡ଼ିକରେ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏହି ବିଷୟରେ ବିଭାଗିୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଅବ୍ୟବସ୍ଥା ସ୍ଵୀକାର କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କୁ ଦାୟୀ କରିବା ସହିତ କାର୍ଯ୍ୟନୁଷ୍ଠାନ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।