ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣାକୁ ୧ ମାସ ବିତିଲା । ଏନେଇ ଦାୟିତ୍ୱରେ ଥିବା ଗଜପତି ଜିଲ୍ଲା ଏସ୍ପି ବାମଦେବ ସିଂ ବୈଷୟିକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ପ୍ରକାଶ କରି କହିଛନ୍ତି । ଏହି ରିପୋର୍ଟ ପହଞ୍ଚିବା ପରେ ପୋଲିସର ତଦନ୍ତକୁ ଆହୁରି ବ୍ୟାପକ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ଏସିଏଫ ସୌମ୍ୟରଞ୍ଜଙ୍କ ମୃତୁକୁ ଆଜି ୧ ମାସ ବିତିଗଲାଣି । ଏହା ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା ଏହାର ରହସ୍ୟ ଉନ୍ନୋଚନ ହୋଇପାରିନାହିଁ । ଗଜପତି ପୋଲିସ ଟେକ୍ନିକାଲ ରିପୋର୍ଟକୁ ବର୍ତ୍ତମାନ ଅପେକ୍ଷା କରିଥିବା କୁହାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ଠାରୁ ତାଙ୍କ ଶବଦାହ କରାଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାର ସମସ୍ତ ତଥ୍ୟକୁ ପୋଲିସ ଓ କ୍ରାଇମ୍ବ୍ରାଞ୍ଚତଦନ୍ତକାରୀ ଦଳ ବାରମ୍ବାର ଅନୁଧ୍ୟାନ ଓ ତଦନ୍ତ କରିଛନ୍ତି ।
ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପାରଳା ପୋଲିସ ସୌମ୍ୟରଞ୍ଜଙ୍କ ସ୍ତ୍ରୀ ବିଦ୍ୟାଭାରତୀ ରହୁଥିବା କପ୍ତିପଦା ଦୁଇଥର ଗସ୍ତ କରି ଜେରା କରି ଫେରିଛନ୍ତି । ଏଥି ସହ ସୌମ୍ୟରଞ୍ଜଙ୍କ ପିତାମାତା, ଭାଇ ଓ ଅନ୍ୟାନ୍ୟ ସମ୍ପର୍କୀୟ ମାନଙ୍କ ନିକଟରେ ପାରଳା ପୋଲିସ ଟିମ୍ ପହଞ୍ଚି ଆବଶ୍ୟକ ପଚରା ଉଚରା କରି ତଥ୍ୟ ସଂଗ୍ରହ କରିଛନ୍ତି । ତଥାପି ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣା ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନାହିଁ । ଅପରପକ୍ଷରେ ଗଜପତି ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ପୂର୍ବତନ ପୋଲିସ ଏସ୍ପି ତପନ କୁମାର ପଟ୍ଟନାୟକ ଏହି ଘଟଣାରେ ସୌମ୍ୟଙ୍କ ପରିବାରଙ୍କ ତରଫରୁ ସୌମ୍ୟଙ୍କ ପାଇଁ ମୁଖ୍ୟତଃ ଦାୟୀ କରାଯାଇଥିବା ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମକେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଏବଂ ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ ପ୍ରଥମେ କ୍ଲିନଚିଟ ଦେଇ ଘଟଣାକୁ ବିବାଦ ମଧ୍ୟକୁ ନେବା ସହ ପୁଣି ସ୍ୱର ବଦଳାଇ କହିଥିଲା କ୍ଲିନଚିଟ୍ ନୁହେଁ, ତଦନ୍ତ ଜାରି ରହିଛି । ଏ ସମସ୍ତ ଘଟଣାଚକ୍ରରେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ବର୍ତ୍ତମାନ ସୁଦ୍ଧା ଅନ୍ଧକାର ମଧ୍ୟରେ ରହିଯାଇଛି । ଘଟଣାର ୧ ମାସ ପରେ ସୁଦ୍ଧା କୌଣସି ରହସ୍ୟ ଉନ୍ମୋଚନ ହୋଇନାହିଁ । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ, ହତ୍ୟା ନା ଆତ୍ମହତ୍ୟା ତାହା ରହସ୍ୟ ଘେରକୁ ଚାଲିଯାଇଛି । ତେବେ ମୃତ ସୌମ୍ୟଙ୍କୁ ନ୍ୟାୟ କେବେ ମିଳିବ ତାହାକୁ ରାଜ୍ୟବାସୀ ଚାହିଁ ରହିଛନ୍ତି ।