ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀମାନଙ୍କ ସହ ପୂର୍ବରୁ ବୈଠକ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଦେଇଥିଲେ ସୂଚନା ।
୫୦ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଟିକାକରଣରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମସ୍ତ ସାସଂଦ, ବିଧାୟକ ମଧ୍ୟ ଟିକା ନେବେ । କିନ୍ତୁ ବୟସ ୫୦ରୁ ଅଧିକ ହୋଇଥିବା ଆବଶ୍ୟକ । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୭ ଲକ୍ଷ କରୋନା ଯୋଦ୍ଧାଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥିଲା । ଯାହାବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ସେପଟେ ଦ୍ୱିତାୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ କରାଯିବ ତାରିଖ ଘୋଷଣା ହୋଇନାହିଁ ।
କିନ୍ତୁ ଏନେଇ ସମସ୍ତ ଗାଇଡଲାଇନ ପ୍ରସ୍ତୁତ ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଟିକା ଗ୍ରହଣ କରିବେ । ସାଂସଦ ଏବଂ ବିଧାୟକମାନେ ମଧ୍ୟ ଟିକାନେବେ । ସେହିପରି ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ସେନା କର୍ମଚୀରୀ, ଅର୍ଦ୍ଧସାମରିକ ବଳ ଏବଂ ଯବାନଙ୍କୁ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି ।
ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ: ସେବାୟତଙ୍କୁ ମିଳୁ ମାଗଣାରେ ଟିକା
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବା ନେଇ ଅନୁରୋଧ କରାଯାଇଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏପରିକି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସୂଚନା ଅନୁଯାୟୀ କୋଭିଡ୍ ନେଗେଟିଭ୍ ପ୍ରମାଣ ବିନା ଏବେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି ।
ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ଆସିବେ । ଭକ୍ତଙ୍କ ସମ୍ପର୍କରେ ଆସୁଥିବା ମହାପ୍ରଭୁଙ୍କ ସେବକମାନେ କରୋନାର ଶିକାର ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନୀତିକାନ୍ତି ପ୍ରଭାବିତ ବି ହୋଇପାରେ । ଯେଉଁଥିପାଇଁ ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଉ ବୋଲି ସରକାରଙ୍କୁ ନିବେଦନ କରାଯାଇଛି । ସୂଚନାଯୋଗ୍ୟ, ଶ୍ରୀଜୀଉଙ୍କୁ ଦେଖିବା ପାଇଁ ଆଉ ଦରକାର ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । କେବଳ କୋଭିଡ ଗାଇଡ୍ଲାଇନରେ ଭକ୍ତ କରୁଛନ୍ତି ଜଗା ଦର୍ଶନ ।
୨୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି, ସମସ୍ତ ଥାନାର ଅଧିକାରୀ ନିୟୋଜିତ ହୋଇଛନ୍ତି । ଏଥସହିତ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏସଓପିକୁ କଡାକଡି ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି । ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ଓ ଅନ୍ୟ ଦର୍ଶନାର୍ଥୀଙ୍କ ପାଇଁ ୭ଟାରୁ ରାତ୍ର ପହୁଡ ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଦର୍ଶନ ଜାରି ରହିବ ।
ଗୁରୁବାର ୧୨୧% ଟିକାକରଣ:
-ଗଞ୍ଜାମରେ ସର୍ବାଧିକ ୨୮୧%
-ଦେବଗଡ଼ରେ ସର୍ବନିମ୍ନ ୪୪%
ରାଜ୍ୟରେ ଆଜି ଟାର୍ଗେଟର ୧୨୧ ପ୍ରତିଶତ ହୋଇଛି ଟିକାକରଣ ହୋଇଛି । ଜାନୁଆରୀ ୧୬ ତାରିଖରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଲୋକେ ଟିକାକୁ ଆଗ୍ରହର ସହିତ ନେଉଛନ୍ତି । ଆଜି ମୋଟ ୪୩୬ଟି କେନ୍ଦ୍ରରେ ୪୪,୮୮୦ ଜଣଙ୍କୁ ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଆଜି ୧୭ଟି କେନ୍ଦ୍ରରେ ସର୍ବାଧିକ ୨୮୧ ପ୍ରତିଶତ କରୋନା ଟିକାକରଣ ହୋଇଛି ।
ଜିଲ୍ଲାରେ ୧୩୩୫ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ୩୭୪୭ ଜଣ ଟିକା ନେଇଥିଲେ । ଅନୁଗୁଳର ୧୨ଟି କେନ୍ଦ୍ରରେ ୮୦୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୮୮୬ ଜଣଙ୍କୁ ଅର୍ଥାତ ୨୩୬ ପ୍ରତିଶତ ଟିକାକରଣ ହୋଇଛି । ଦେବଗଡ଼ ଜିଲ୍ଲାରେ ଆଜି ସର୍ବନିମ୍ନ ୪୪ ପ୍ରତିଶତ ଅର୍ଥାତ ୧୪୮ ଜଣଙ୍କୁ ଟିକା ଦିଆଯାଇଛି । ବଲାଙ୍ଗୀର ଜିଲ୍ଲାରେ ୧୮୫୦ରୁ ୧୭୦୨ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ବାଲେଶ୍ୱରରେ ୨୪୨୨ ଜଣଙ୍କୁ ଟିକା ଦିଆଯାଇଛି ।
ଆଜି ବାଲେଶ୍ୱର ଜିଲ୍ଲାରେ ୧୪୭୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା । ଭଦ୍ରକରେ ୮୭୦ ଜଣଙ୍କୁ ଟିକା ଦିଆଯିବାର ଥିଲେ ମଧ୍ୟ ଏଠାରେ ୧୮୯୬ ଜଣଙ୍କୁ ଟିକା ଦିଆଯାଇଛି । ବୌଦ୍ଧ ଜିଲ୍ଲାରେ ୩୨୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଠାରେ ୩୨୨ ଜଣ ଟିକା ନେଇଛନ୍ତି । ଆଜି ଢେଙ୍କାନାଳରେ ୧୩୧ ପ୍ରତିଶତ,ଗଜପତିରେ ୧୧୬ ପ୍ରତିଶତ, ଜଗତସିଂହପୁରରେ ୯୮ ପ୍ରତିଶତ, ଯାଜପୁରରେ ୧୧୦ ପ୍ରତିଶତ, ଝାରସୁଗୁଡ଼ାରେ ୧୦୫ ପ୍ରତିଶତ, କଳାହାଣ୍ଡିରେ ୯୧ ପ୍ରତିଶତ,କନ୍ଧମାଳ ଓ କେନ୍ଦ୍ରାପଡ଼ାରେ ୧୩୫ ପ୍ରତିଶତ, କେନ୍ଦୁଝରରେ ୮୨ ପ୍ରତିଶତ,ଖୋର୍ଦ୍ଧାରେ ୧୦୬ ପ୍ରତିଶତ, କେରାପୁଟରେ ୧୧୩ ପ୍ରତିଶତ, ମାଲକାନଗିରିରେ ୧୦୫ ପ୍ରତିଶତ, ମୟୂରଭଞ୍ଜରେ ୧୦୪ ପ୍ରତିଶତ, ନବରଙ୍ଗପୁରରେ ୯୮ ପ୍ରତିଶତ, ନୟାଗଡ଼ରେ ୧୧୨ ପ୍ରତିଶତ, ନୂଆପଡ଼ାରେ ୮୧ ପ୍ରତିଶତ, ପୁରୀରେ ୧୬୭ ପ୍ରତିଶତ, ରାୟଗଡ଼ାରେ ୮୮ ପ୍ରତିଶତ, ସମ୍ବଲପୁରରେ ୯୫ ପ୍ରତିଶତ,ସୋନପୁରରେ ୧୩୧ ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୫୨ ପ୍ରତିଶତ କରୋନା ଟିକାକରଣ ହୋଇଛି ।