ନୂଆଦିଲ୍ଲୀ: ନୀତି ଆୟୋଗ ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ର ଦ୍ୱିତୀୟ ସଂସ୍କରଣକୁ ୨୦ ଜାନୁଆରୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିବ । ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାରଙ୍କ ଦ୍ୱାରା ଏହି ସୂଚକାଙ୍କ ପ୍ରକାଶ ପାଇବାକୁ ଥିବାବେଳେ ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ସାରସ୍ୱତ ଏବଂ ସିଇଓ ଅମିତାଭ କାନ୍ତ ଉପସ୍ଥିତ ରହିବେ ।
ସୂଚକାଙ୍କ ଦ୍ୱିତୀୟ ସଂସ୍କରଣର ପ୍ରକାଶନ ଦେଶକୁ ଏକ ଗତିଶୀଳ ନବୋନ୍ମେଷ ଅର୍ଥନୀତିରେ ପରିଣତ କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ଆପେକ୍ଷିକ କାର୍ଯ୍ୟଦକ୍ଷତା ଭିତ୍ତିରେ ସେମାନଙ୍କ ସୂଚକାଙ୍କ ସ୍ଥିର କରାଯିବା ଏବଂ ତଦନୁଯାୟୀ ସେମାନଙ୍କ ଭିତରେ ନବୋନ୍ମେଷ ଯୋଜନା ମାଧ୍ୟମରେ ସଶକ୍ତ କରିବାରେ ସହାୟକ ହେବ । ଏହି ନୀତି ପ୍ରଣୟନ ବେଳେ ସମ୍ପୃକ୍ତ ରାଜ୍ୟର ଦକ୍ଷତା ଓ ଦୁର୍ବଳତା ସଂକ୍ରାନ୍ତରେ ମଧ୍ୟ ଅନୁଶୀଳନ କରାଯାଇ ସେମାନଙ୍କୁ ବିକଶିତ କରାଯିବ । ମାନ୍ୟତା ପଦ୍ଧତି ଏପରି ଭାବରେ ପରିକଳ୍ପନା କରାଯାଇଛି ଯେଉଁଥିରେ ରାଜ୍ୟମାନେ ଜାତୀୟ ସ୍ତରରେ ଅଗ୍ରଣୀ ଭୂମିକା ନିଭାଉଥିବା ସଂସ୍ଥାଗୁଡିକ ଠାରୁ ନୂତନତ୍ୱ ସଂକ୍ରାନ୍ତରେ ଶିକ୍ଷା ଗ୍ରହଣ କରିପାରିବେ । ଆଶାକରାଯାଏ ଯେ, ଏହା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବ, ଯାହାଦ୍ୱାରା ଆମ ସଂଘୀୟ ବ୍ୟବସ୍ଥାରେ ସୁସ୍ଥ ପ୍ରତିଯୋଗିତା ବୃଦ୍ଧି ପାଇବ ।
ସେମାନଙ୍କର ପ୍ରଦର୍ଶନକୁ ପ୍ରଭାବଶାଳୀ ଭାବରେ ତୁଳନା କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ ଟି “ପ୍ରମୁଖ ରାଜ୍ୟ’, ୧୦ ଟି ” ଉତ୍ତର-ପୂର୍ବ ଏବଂ ପାହାଡିଆ ରାଜ୍ୟ’ ଏବଂ ୯ ଟି “ସହର ଏବଂ କେନ୍ଦ୍ରଶାସିତ ଅଞ୍ଚଳ’ରେ ବିଭକ୍ତ କରାଯାଇଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦୁଇଟି ବ୍ୟାପକ ବର୍ଗରେ ସ୍ଥାନିତ ହୋଇଛି: ଫଳାଫଳ ଏବଂ ପ୍ରଶାସନ, ମୋଟ ଉପରେ ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ରେ ୩୬ ଟି ସୂଚକାଙ୍କ ଅଛି, ଯେଉଁଥିରେ ହାର୍ଡ ଡାଟା (୩୨ ସୂଚକ) ଏବଂ ଚାରିଟି ମିଶ୍ରିତ ସୂଚକ ଅର୍ନ୍ତଭୁକ୍ତ ।
ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ପୂର୍ବବର୍ଷର ପଦ୍ଧତିକୁ ଭିତ୍ତି କରି ନୂଆ ନୀତି ନିର୍ଦ୍ଧାରିତ ହେବ ଯାହା ସମ୍ପୂର୍ଣର୍ ପରିବେଶ ଅନୁକୂଳ । ଏ କ୍ଷେତ୍ରରେ ଆଗକୁ ବଢିବାବେଳେ ଭାରତୀୟ ଅର୍ଥନୀତିର ନିର୍ଦ୍ଦିଷ୍ଟ ମାନକକୁ ବଜାୟ ରଖିବା ସହ ବିଶ୍ୱର ଅଗ୍ରଣୀ ମାନକଗୁଡିକୁ ମଧ୍ୟ ଅନୁସରଣ କରାଯିବ ଯାହା ଫଳରେ ଗବେଷଣା ଓ ଉନ୍ନୟନ ପାଇଁ ମୋଟ ଘରୋଇ ଉତ୍ପାଦର ପ୍ରମୁଖ ଅଂଶ ବିନିଯୋଗ କରାଯିବ ।
ସୂଚକାଙ୍କ ଧାରାକୁ ଆଧାର କରି ଦେଶ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ନୂତନତ୍ୱ ସୃଷ୍ଟି କରୁଥିବା ବିଭିନ୍ନ କାରଣଗୁଡିକର ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଥାଏ । ବିଶ୍ୱାସ କରାଯାଏ ଯେ ଏହି ବିଶ୍ଳେଷଣଗୁଡିକ ଜାତୀୟ ତଥା ଉପ-ଜାତୀୟ ସ୍ତରରେ ଅନୁପାତର ଉଦ୍ଭାବକ ଏବଂ ପ୍ରତିବନ୍ଧକକୁ ଚିହ୍ନଟ କରିବାରେ ନୀତି ର୍ନିଣ୍ଣୟକାରୀଙ୍କୁ ସକ୍ଷମ କରିବ ।