ନୂଆପଡ଼ା: ଆଜି ମଧ୍ୟାହ୍ନରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଜେଂଜରା ଗାଁର ନବୀନ ଠାକୁର ନାମକ ଚାଷୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କିପରି ଲାଭବାନ ହୋଇଛନ୍ତି, ତାକୁ ନେଇ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ସେହିପରି କିଶାନ କ୍ରେଡିଟ କାର୍ଡରେ କେତେ ଟଙ୍କାର ଋଣ ନେଇ କିପରି ତାକୁ ବ୍ୟବହାର କରିଛନ୍ତି, ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ ।
ଆଜି ମଧ୍ୟାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଭାବେ ଚାଷୀ ଶ୍ରୀଠାକୁରଙ୍କ ସହିତ କଥା ହୋଇଥିଲେ । କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଚାଷୀ ଶ୍ରୀଠାକୁର କିପରି ଲାଭବାନ ହୋଇଛନ୍ତି ପଚାରି ବୁଝିଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ୫ଟି କିସ୍ତିରେ ୧୦ ହଜାର ଟଙ୍କାର ସହାୟତା ରାଶି ପାଇଛନ୍ତି ଓ ଏହି ଅର୍ଥକୁ ବିହନ, ସାର, କିଟନାଶକ ଓ ଶ୍ରମିକ ମଜୁରୀ ବାବଦରେ ଖର୍ଚ୍ଚ କରିଛନ୍ତି । ସେହିପରି କିଶାନ କ୍ରେଡିଟ କାର୍ଡରେ ୪ ଶତକଡା ସୁଧ ହାରରେ ୨୭ ହଜାର ଟଙ୍କାର ଋଣ ପାଇଛନ୍ତି । ପୂର୍ବରୁ ବହୁତ ଅଧିକ ସୁଧ ୨୦ ଶତକଡାରେ ଋଣ ନେବାକୁ ପଡୁଥିଲା । ଏବେ ୪ ଶତକଡାରେ ଋଣ ମିଲିଥିବାରୁ ମୁଁ ଆର୍ଥିକ ସ୍ତରରେ ଲାଭବାନ ହୋଇଛି । ଏହି ଅର୍ଥକୁ ରାସାୟନିକ ସାର ଓ ବିହନ କିଣିବାରେ ଅର୍ଥକୁ ବ୍ୟବହାର କରିଛି । ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଓ କିଶାନ କ୍ରେଡିଟ କାର୍ଡରେ ଲାଭ ଉଠାଇ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନା ଥାଉକି, ସମଗ୍ର ଦେଶର ୭ଟି ରାଜ୍ୟର ୭ ଜଣ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଯୋଗେ ସିଧା ସଳଖ କଥା ହୋଇଥିଲେ । ଏଥିରେ ରାଜ୍ୟରୁ ନୂଆପଡ଼ା ଜିଲ୍ଲା ଜେଂଜରା ଗାଁର ଶ୍ରୀ ଠାକୁରଙ୍କ ସହ ବାର୍ତ୍ତାଲାପ କରିଥିଲେ । ଏହି ସମୟରେ ଏଡିଏମ ଅଗସ୍ତୀ ପ୍ରଧାନ, ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ ବାବାଜୀ ଚରଣ ବେହେରା, ବ୍ଲକ କୃଷୀ ଅଧିକାରୀ ହିମାଂଶୁ ମହାପାତ୍ର, ଡିପିଡି ଶୁଧାଂସୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।