ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଭିଭା ଟେକର ପଂଚମ ସଂସ୍କରଣରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ଅନ୍ୟ ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ମିଃ ଏମାନୁଏଲ ମାକ୍ରନ, ସ୍ପେନର ପ୍ରଧାନମନ୍ତ୍ରୀ ମିଃ ପେଡ୍ରୋ ସାେଂଚଜ୍ଙ୍କ ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ/ସାଂସଦମାନେ ଅଂଶଗ୍ରହଣ କରିବେ । ଏହି ସମାରୋହରେ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଃ ଟିମ୍ କୁକ୍, ଫେସବୁକର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଃ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟ ଅଧ୍ୟକ୍ଷ ମିଃ ବ୍ରାଡ ସ୍ମିଥଙ୍କ ସମେତ କର୍ପୋରେଟ ଜଗତର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ।
୨୦୧୬ ଠାରୁ ପ୍ରତିବର୍ଷ ପ୍ୟାରିସ୍ ଠାରେ ଆୟୋଜିତ ହୋଇ ଆସୁଥିବା ଭିଭା ଟେକ୍ ହେଉଛି ୟୁରୋପର ଅନ୍ୟତମ ସର୍ବବୃହତ ଡିଜିଟାଲ୍ ଓ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ । ଏକ ପ୍ରମୁଖ ବିଜ୍ଞାପନ ଓ ବିପଣନ ଉଦ୍ୟୋଗ- ପିବ୍ଲିସିଜ୍ ଗ୍ରୁପ ଏବଂ ଫ୍ରାନ୍ସର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା-ଲେସ୍ ଇକୋସ୍ ପକ୍ଷରୁ ଏହା ମିଳିତ ଭାବେ ଆୟୋଜନ କରାଯାଇଥାଏ । ଏଥିରେ ପ୍ରଯୁକ୍ତି ନବୋନ୍ମେଷ ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶୀଦାରମାନେ ମିଳିତ ଭାବେ ଅଂଶଗ୍ରହଣ କରିଥାନ୍ତି । ଏଥିରେ ପ୍ରଦର୍ଶନୀ, ପୁରସ୍କାର ସମାରୋହ, ପ୍ୟାନେଲ ଆଲୋଚନା ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଭିଭା ଟେକ୍ର ପଂଚମ ସଂସ୍କରଣ ଜୁନ ୧୬- ୧୯, ୨୦୨୧ରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।