୯ ମାସ ପରେ ଖୋଲିଲା ବିଦ୍ୟାଳୟ

ଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ: ବିଭାଗୀୟ ଯନ୍ତ୍ରୀଙ୍କ ବିଦ୍ୟାଳୟ ପରିଦର୍ଶନ

ନିମାପଡ଼ା: ବିଦ୍ୟାଳୟ ଖୋଲିବ ବୋଲି ଘୋଷଣା ହେବା ଦିନ ଠାରୁ ଛାତ୍ରଛାତ୍ରୀ ମହଲରେ ଉତ୍ସାହ ପ୍ରକାଶ ପାଇଥିଲା ଏବଂ ପରିଶେଷରେ ଶୁକ୍ରବାର ଦିନ ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକ୍ ଅଧୀନରେ ଥିବା ୪୮ଟି ଉଚ୍ଚ ବିଦ୍ୟାଳୟ ସମେତ ଡ଼ି.ଏ.ଭି., ଭେଙ୍କଟେଶ୍ୱର ଓ ସରସ୍ୱତୀ ଶିଶୁ ମନ୍ଦିରରେ ପଢ଼ୁଥିବା ୧୦ମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଯୋଗ ଦେଇଥିଲେ । ବିଭିନ୍ନ ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟା ୫୦ ଭାଗରୁ ଅଧିକ ଥିଲା ବୋଲି ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ପୂର୍ବଦିନ ସମସ୍ତ ବିଦ୍ୟାଳୟ ପରିସରକୁ ବିଶୋଧନ କରାଯାଇଥିବା ବେଳେ ପାନୀୟ ଜଳ ଓ ଶୌଚାଳୟର ସୁବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ଛାତ୍ରଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ବିଶୋଧନ କରାଯାଇଥିବା ଦେଖିବାକୁ ମିଳିଥିଲା । ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ହରିପୁର ଆଦର୍ଶ ଉଚ୍ଚ ବିଦ୍ୟାଳୟ ଓ ନିମାପଡ଼ା ସ୍ଥିତ ଜ.ବ.ରା. ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପହଂଚି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସାମାଜିକ ଦୂରତା ଓ ସିଟିଂ ଆରେଞ୍ଜମେଂଟ ଦେଖି ସନ୍ତୋଷ ପ୍ରକଟ କରିବା ସାଂଗକୁ ଗାଇଡ଼୍ ଲାଇଡ଼୍ ଉଲ୍ଲଂଘନ କଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ସକାଳ ୧୦ ରୁ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଗୃହରେ ପାଠପଢ଼ା ଚାଲିଥିଲା ଏବଂ ଛୁଟି ହେବା ପରେ ବିଦ୍ୟାଳୟ ପରିସର ବିଶୋଧନ କରାଯାଇଥିଲା । ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକମାନେ ଦିନ ତମାମ୍ ବିଭିନ୍ନ କାର୍ଯ୍ୟାଳୟ ବୁଲି ପାଠପଢ଼ା କାର୍ଯ୍ୟ ତଦାରଖ କରିଥିଲେ ।