ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଉ ଗୋଟିର ଦିନ ପରେ କାଳିଆ ସାଆନ୍ତଙ୍କ ଦର୍ଶନ । ଦୀର୍ଘ ୯ ମାସ ପରେ ଖୋଲିବ ଶ୍ରୀମନ୍ଦିର ଆଉ ରତ୍ନସିଂହାସନରେ ମିଳିବ ଜଗାର ଦର୍ଶନ। ଭକ୍ତ ଭଗବାନଙ୍କ ହେବ ମହାମିଳନ। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧକ୍ଷତାରେ ଏସଓପି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏସଓପି ଅନୁଯାୟୀ ପ୍ରଥମ ୩ ଦିନ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ଶ୍ରୀମନ୍ଦିରର ଚାରୋଟି ଦ୍ୱାର ଦେଇ ପ୍ରବେଶ କରିବେ।ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ସେମାନଙ୍କୁ ଚିହ୍ନଟ କରିବେ।୨୬ରୁ ସହରବାସୀ କରିବେ ଦର୍ଶନ। ୨୬ ରୁ ୩୧ ଯାଏଁ ଚାଲିବ ଦର୍ଶନ। ପ୍ରତ୍ୟେକ ଦିନ ପାଞ୍ଚଟି ୱାର୍ଡର ଲୋକ କରିବେ ଦର୍ଶନ। ଚାରି ଘଣ୍ଟା ରହିବ ଦର୍ଶନ ସମୟ।ପୌରପାଳିକା ପକ୍ଷରୁ ଘରର ମୁରବୀଙ୍କୁ ମିଳିଥିବା ଚିରୁକୁଟି ଓ ପରିଚୟ ନେଇ ତାରିଖ ସ୍ଥିରୀକୃତ ହୋଇଥିବା ୱାର୍ଡବାସୀ ମାର୍କେଟ ଛକରୁ ବ୍ୟାରିକେଡ଼ରେ ପ୍ରବେଶ କରିବେ।

ମାର୍କେଟ ଛକରୁ ବ୍ୟାରିକେଡ ରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ପରେ ସେଠାରେ ହୋଇଥିବା ସ୍ୱତନ୍ତ୍ର ନଅଟି ଧାଡିରେ ଭକ୍ତ ଶ୍ରଦ୍ଧାଳୁ ପ୍ରବେଶ କରିବେ। ସେଠାରେ ସହରବାସୀଙ୍କ ଫଟୋଗ୍ରାଫି କରାଯିବ।। ବିନା କୋଭିଡ ରିପୋର୍ଟରେ ପୁରୀବାସୀ ଦର୍ଶନ କରିପାରିବେ।ପ୍ରତ୍ୟହ ସକାଳ ସାଢେ ସାତଟାରୁ ମହାପ୍ରଭୁଙ୍କ ପହୁଡ ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଜାନୁଆରୀ ୩ ପରେ ବଳକା ଥିବା ପୁରୀବାସୀଙ୍କୁ ସକାଳେ ଓ ସଂନ୍ଧ୍ଯା ସମୟରେ ମିଳିବ ଏକ ଘଣ୍ଟା ଦର୍ଶନ ସୁଯୋଗ । ଅନ୍ଯ ସମୟରେ ଆସିଲେ ଦେଖାଇବାକୁ ପଡିବ କୋଭିଡ ନେଗେଟିଭ ପ୍ରମାଣ ପତ୍ର। ତେବେ ଗଙ୍ଗାସାଗର ମେଳା ପର୍ଯ୍ୟନ୍ତ କଟକଣା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।ସେପଟେ ଜାନୁଆରୀ ୩ ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।ସେଦିନଠାରୁ ସମସ୍ତଙ୍କ ପାଇଁ କୋଭିଡ ନେଗଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ। ସେପଟେ ଦୀର୍ଘମାସ ପରେ ଶ୍ରୀମନ୍ଦିର ଖୋଲୁଥିବାରୁ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଥିବା ସେବାୟତ ମାନେ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏଭଳି ଏସଓପିର ନିଷ୍ପତ୍ତିକୁ ସେବାୟତ ଓ ଭକ୍ତଙ୍କ ମହଲରେ ସ୍ୱାଗତ କରାଯାଇଛି।

ପୂର୍ବରୁ ପବିତ୍ର ଐତିହାସିକ ରଥଯାତ୍ରା ସମୟରେ ରଥ ଉପରକୁ ଭକ୍ତ ଚଢିଯିବା,ନାଗାର୍ଜୁନ ବେଶରେ ଅନେକ ସରକାରୀ କର୍ମଚାରୀ ଓ ଅନେକ ଅଣସେଵାୟତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ନେଇ ଅନେକ ନଜିର୍ ରହିଛି। ତେବେ ପ୍ରାଥମିକ ଭାବରେ ଶ୍ରୀମନ୍ଦିର ଖୋଲିଲେ କେହି ଯେପରି ବାହାର ଭକ୍ତ, ଅଣସେଵାୟତ ଶ୍ରୀମନ୍ଦିର ଭିତରେ ପ୍ରବେଶ ନକରିପାରିବେ ତାହା ଉପରେ ତୀକ୍ଷ୍ନ ଦୃଷ୍ଟି ରଖିବା ପୋଲିସ, ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।