ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କଲା ସମାଜ ଦର୍ପଣ ହେଲ୍ପ ଗ୍ରୁପ

କୋରାଇ: ସମାଜ ଦର୍ପଣ ହେଲ୍ପ ଗ୍ରୁପ ପକ୍ଷରୁ ମିଶନ ଆତ୍ମନିର୍ଭରଶୀଳ ଯୋଜନାରେ ଆଜି ଜଣେ ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ସୃଷ୍ଟି କରାଯାଇଛି । ଯାଜପୁର ଜିଲ୍ଲା କୋରାଇ ବ୍ଳକ ଅନ୍ତର୍ଗତ କରଦା ପଂଚାୟତର ଗାନ୍ଧୀ ପୀଠ ନିକଟରେ ଏକ ଭଙ୍ଗା ଚାଳିଆରେ ସାଇକେଲ ମରାମତି ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା କରଦା ଗ୍ରାମର ଭିନ୍ନକ୍ଷମ ବୃନ୍ଦାବନ ସାହୁଙ୍କୁ ପ୍ରାୟ ୨୦ ହଜାର ଟଙ୍କାର ସାଇକେଲ ଯନ୍ତ୍ରାଂଶ ଯୋଗାଇ ଦିଆଯାଇ ତାଙ୍କୁ ସ୍ୱାବଲମ୍ବୀ ହେବାର ସୁଯୋଗ ଦିଆଯାଇଛି । ଗରିବ, ଅସହାୟ ଓ ସମାଜ କଲ୍ୟାଣ ପାଇଁ ସର୍ବଦା ଜାଗ୍ରତ ଥିବା ସମାଜ ଦର୍ପଣ ହେଲ୍ପ ଗ୍ରୁପର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଶ୍ରୀ ସାହୁ ସପରିବାରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ପାଣିକୋଇଲି ଥାନାଧିକାରୀ ଚକ୍ରପତି କହଁର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ଧଳ, କରଦା ସରପଂଚ ଗଣେଷ ସାହୁ ପ୍ରମୁଖ ଯୋଗଦେଇଥିଲେ । ସମାଜ ଦର୍ପଣ ହେଲ୍ପ ଗ୍ରୁପର ସଭାପତି ପ୍ରଶାନ୍ତ ସେନାପତି, ବିକାଶ ଚନ୍ଦ୍ର ମଲ୍ଲିକ, ପ୍ରତିମା ସାହୁ, ବିଭୂତି ବେହେରା, ମନୋଜ ଦାସ, ଚିଂଟୁ ବେହେରା, ଅଭିଷେକ ଦାସ, ଚନ୍ଦ୍ରମଣି ସ୍ୱାଇଁ, ରଜତ ବାରିକ, ଜ୍ୟୋତି ଦଳାଇ, ବାବାଜି ଦାସ, ବେଣୁଧର ପ୍ରଧାନ, କିଶୋର କୁମାର, ଶୁସିଲ କୁମାର ବେହେରା, ସୁଧାଶଙ୍କର ବିଶ୍ୱାଳ, ଅଶୋକ କୁମାର ବେହେରା, ସୁଦାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।