ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଏସଓପି ଜାରି କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର । ୧୮ ରୁ ୪୫ ବର୍ଷ ଭିତରେ ୪୨ ପ୍ରତିଶତ ଲୋକ ରହିଛନ୍ତି । ତେଣୁ ଟିକାକରଣ କେନ୍ଦ୍ର ବଢ଼ାଯିବ । ଟିକାକରଣ ପାଇଁ ଅନଲାଇନ୍ ଓ ସ୍ପଟ୍ ପଂଜୀକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ ଟିକା ଦର ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିୟମ କରି ଉତ୍ପାଦନକାରୀ କମ୍ପାନୀମାନଙ୍କୁ କ୍ଷମତା ଦେଇଛନ୍ତି । ସିରମ ଦର ଧାର୍ଯ୍ୟ କରିଛି । ଘରୋଇ ହସ୍ପିଟାଲରେ ଯାହା ଟିକାକରଣ ଚାଲିଛି, ତାହା କେନ୍ଦ୍ର ସରକାର ଦେଉଛନ୍ତି । ହେଲେ, ମେ ୧ ରୁ ଆଉ କେନ୍ଦ୍ର ସରକାର ଦେବେ ନାହିଁ । ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନୀଠାରୁ ଟିକା କିଣିବେ । କୋଭାକ୍ସିନ ଟିକା ୟୁକେ ଷ୍ଟ୍ରେନ, ସାଉଥ ଆଫ୍ରିକା ଷ୍ଟ୍ରେନ, ମ୍ୟୁଟେଂଟ ଷ୍ଟ୍ରେନ ସଂକ୍ରମଣରୁ ରକ୍ଷା କରିପାରିବ । ତେଣୁ କୋଭିସିଲଡ୍ ଅପେକ୍ଷା ଏହା ଅଧିକ ଫଳପ୍ରଦ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଗତକାଲି ୧୦୨୪୦୭ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ୫୩,୫୯,୭୯୪ ସମୁଦାୟ ଟିକାକରଣ ହୋଇଛି । ଆଜି ୭୫୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୨.୬ ଲକ୍ଷ କୋଭିସିଲ୍ଡ ମହଜୁଦ ଅଛି । ସେହିପରି ୧.୯ ଲକ୍ଷ କୋଭାକ୍ସିନ୍ ମହଜୁଦ ରହିଛି । ଏଯାଏ ଟିକା ଆସିବା ଖବର ନାହିଁ । ଆଜି ସବୁ ଜିଲ୍ଲାରେ ଚାଲିଛି । ହେଲେ ୨ ଦିନରେ ଟିକା ସରିଯିବ ।

ଦ୍ୱିତୀୟ ଲହର ସଂକ୍ରମଣ କ୍ଷମତା ବହୁତ ବେଶି । ବର୍ତମାନ ଏହା ୪୦ ପ୍ରତିଶତ ବାୟୁ ଦ୍ୱାରା ବ୍ୟାପୁଛି ବୋଲି ଜଣାପଡ଼ିଛି । ରୁଦ୍ଧ ଦ୍ୱାର କୋଠରୀରେ ରହିଲେ ବେଶି ସଂକ୍ରମଣ ହେବ । ତେଣୁ ବେଶି ଗହଳି କରିବା ଉଚିତ ନୁହେଁ । ସଭାସମିତିରେ ବେଶି ସମୟ ରହିବା ଉଚିତ ନୁହେଁ । ଗତ ଥର ପିକ୍ ଆସିବାକୁ ୬ ମାସ ଲାଗିଗଲା । ଏଥର କିନ୍ତୁ ମାତ୍ର ଦେଢ ମାସରେ ସଂକ୍ରମଣ ବହୁତ ବ୍ୟାପି ଗଲାଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।