‘ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ’ ଶିଳାନ୍ୟାସ ଉତ୍ସବ ନିମନ୍ତେ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ’ ସ୍ଥଳରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ ଡିସେମ୍ବର ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ହେବାକୁ ଥିବା ନୂତନ ପାର୍ଲାମେଣ୍ଟ୍ ନିର୍ମାଣ ଶିଳାନ୍ୟାସ ଉତ୍ସବ ପାଇଁ ସୁପ୍ରିମ୍କୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି । ‘ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ’ ଅଧୀନରେ ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟ, ଏକ ନୂତନ ପାର୍ଲାମେଣ୍ଟ୍ ଭବନ ଏବଂ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ବାସଭବନ ନିର୍ମାଣ କରାଯିବ । ୨୦୨୨ ସୁଦ୍ଧା ନୂତନ ପାର୍ଲାମେଣ୍ଟ୍ ଭବନ ନିର୍ମାଣ ଶେଷ ହେବ ବୋଲି ଯୋଜନା କରାଯାଇଛି । କେନ୍ଦ୍ର ସରକାର ଦର୍ଶାଇଥିଲେ ଯେ, ନିର୍ଦ୍ଧାରିତ ଆଇନ ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ ପୁନଃଉତ୍ତତିକରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ କୌଣସି ଐତିହ୍ୟସମ୍ପରୟର କୋଠବାଡ଼ି କ୍ଷତିଗ୍ରସ୍ତ ହେଉନାହିଁ । କିନ୍ତୁ ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ପାଇଁ କେନ୍ଦ୍ର ସରକାରଙ୍କୁ ମିଳିଥିବା ଅନୁମୋଦନକୁ ଚାଲେଞ୍ଜ୍ କରି ସୁପ୍ରିମ୍କୋର୍ଟରେ କେତେଗୁଡ଼ିଏ ପିଟିସନ୍ ଦାଖଲ କରାଯାଇଥିଲା । ସେଗୁଡ଼ିକ ଏବେ ବିଚାରାଧୀନ ରହିଛି । ତେଣୁ, ବିଚାରପତି ଏଏମ୍ ଖାନୱିଲ୍କର, ଦିନେଶ ମାହେଶ୍ୱରୀ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରକଳ୍ପ ସଂକ୍ରାନ୍ତରେ ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ଏହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ତୁରନ୍ତ କୌଣସି ବିବୃତି ନ ଆସିଲେ, ଏହା ଉପରେ ରହିତାଦେଶ ଜାରି ହେବ ବୋଲି ଖଣ୍ଡପୀଠ କହିଥିଲେ । ଏଥିପାଇଁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ମାତ୍ର ୫ ମିନିଟ୍ ସମୟ ଦେଇଥିଲେ ।ଏହି ସମୟ ମଧ୍ୟରେ ସଲିସିଟର୍ ଜେନେରାଲ୍ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ବିଷୟରେ ଅବଗତ କରାଇ ବିବୃତି ମଗାଇଥିଲେ । ଏ ସଂକ୍ରାନ୍ତରେ ଅଦାଲତଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳରେ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ବିବୃତିରେ ଉଲ୍ଲେଖ କରିଥିଲେ । ଏହାପରେ ଖଣ୍ଡପୀଠ ପ୍ରକଳ୍ପ ସ୍ଥଳରେ ନୂତନ ପାର୍ଲାମେଣ୍ଟ୍ ଭବନ ନିର୍ମାଣ ଶିଳାନ୍ୟାସ ଉତ୍ସବ ପାଇଁ ଅନୁମତି ପ୍ରଦାନ କରିଥିଲେ ।