ସାମାନ୍ୟ ବର୍ଷାରେ ଧୋଇନେଲା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲକୁ ସାମାନ୍ୟ ବର୍ଷା ହେବାରୁ ଧୋଇନେଲା । ଅସ୍ଥାୟୀ ପୋଲ ଧୋଇ ଯିବାରୁ ଉକ୍ତ ବ୍ଲକର ୬ଟି ପଞ୍ଚାୟତ ପାର୍ସାଲି, ପଲମା, ସୁନାଖଣ୍ଡି, ପୂଜାରୀଗୁଡା, ମାଝୀଗୁଡା, କଲ୍ୟାଣସିଂହପୁର,ପଞ୍ଚାୟତ ବାସୀ ନାହିଁନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ, ଗ୍ରାମବାସୀ ବ୍ଲକ, ତହସିଲ, ଥାନା ବିଭିନ୍ନ କାର୍ଯ୍ୟ ପାଇଁ ଆସିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ରାସ୍ତାରେ ବ୍ଲକକୁ ଆସିବା ପାଇଁ ହେଲେ ଅଧିକା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଉକ୍ତ ଅସ୍ଥାୟୀ ପୋଲ ବାରମ୍ବାର ମାଟି ପକାଇ ରାସ୍ତା ମରାମତି କରୁଥିଲେ ମଧ୍ୟ ଉପର ମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ତାହା ଧୋଇ ନେଇଯାଉଛି । ୨୦୧୭ ମସିହା ଜୁଲାଇ ୧୬ ତାରିଖରେ ଉପର ମୁଣ୍ଡରେ ବାଦଲ ଫଟା ବର୍ଷା ହୋଇଥିବା ଯୋଗୁଁ ଉକ୍ତ ବ୍ଲକରେ ୫ଟି ପୋଲ, ଝୋଲା ପୋଲ, ଲୁହା ପୋଲ ଭାସିନେବା ସହିତ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା । ଏହାକୁ ନେଇ ଆରଡ଼ି ବିଭାଗ ପକ୍ଷରୁ ପୋଲ ନିର୍ମାଣ କରାଯାଉଛି । ତାହା ପ୍ରାୟ ୪ବର୍ଷ ହେବ ପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ବର୍ତମାନ ତାହା ନିର୍ମାଣ ଶେଷ ହୋଇଛି । ତାହା ଉଭୟ ପାର୍ଶ୍ୱରେ ମାଟି ପକାଇ ମରାମତି କାମ ଜାରି ରହିଥିବା ବୋଲି ଜଣାପଡିଛି ।