ଘରୋଇ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡି କୁ ଧକ୍କା ଦେଲା ଟ୍ରକ :୨ ମୃତ

ଭୁବନ : ଭୁବନରେ ଭାରତ ଗ୍ୟାସ ର ଅଧିକୃତ ବିକ୍ରେତା ମହାବୀର ଗ୍ୟାସ ସର୍ଭିସର ଘରୋଇ ସିଲିଣ୍ଡର ବୋଝେଇ ଅଟୋ କୁ ଏକ ୧୦ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ପଳାଇ ଆସୁଥିବା ବେଳେ ଅନ୍ୟ ଜଣଙ୍କୁ ଚାପି ଦେବା ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଭୁବନରୁ ଓଡି୦୪ ଏଚ-୧୫୫୯ ବିଶିଷ୍ଟ ଅଟୋ ଆଜି ଦିନ ୧୧ ଘଟିକା ସମୟରେ ଘରୋଇ ଗ୍ୟାସ ଲୋଡ କରି ଷଡଙ୍ଗୀ,ଗଁନ୍ଦିଆ ଅଂଚଲକୁ ଯାଉଥିବା ବେଳେ ମନ୍ଦାର ଶିଶୁ ମନ୍ଦିର ସମ୍ମୁଖରେ ଗଁନ୍ଦିଆ ଆଡୁ ଭୁବନ ପଟକୁ ଆସୁଥିବା ଓଡି୦୪କେ-୫୭୮୯ ବିଶିଷ୍ଟ ୧୦ ଚକିଆ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଅଟୋ ଚାଳକ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମର ନକୁଳ ସାହୁ(୪୬)ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଢେଙ୍କାନାଳରୁ କଟକ ନେବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ନକୁଳ ଙ୍କର ମୃତ୍ୟୁ ହୋଇଯାଇଥିଲା ।

ଦୁର୍ଘଟଣା ଘଟାଇ ଟ୍ରକଟି ଭୁବନ ବୁଦ୍ଧଶ୍ୱର ମନ୍ଦିର ନକଟକୁ ପଳାଇ ଆସି ଡ୍ରାଇଭର,ହେଲପର ଫେରାର ହୋଇଯାଇଥିବା ବେଳେ ଭୁବନ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଖବର ପାଇ ଟ୍ରକଟିକୁ ଥାନାକୁ ଆଣିଛନ୍ତି । ଗଁନ୍ଦିଆ ଥାନା ସୂତ୍ରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଟ୍ରକଟି ଅଟୋକୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇ ଆସୁଥିବା ବେଳେ ମନ୍ଦାର ଛକରେ ଚାନ୍ଦ କମାର (୭୦) ନାମକ ଜଣେ ବୃଦ୍ଧାଙ୍କୁ ଚାପି ଦେଇଥିଲା । ବୃଦ୍ଧାଙ୍କୁ ଢେଙ୍କାନାଳ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସଂପର୍କରେ ଗଁନ୍ଦିଆ ଥାନାରେ କେଶ ନଂ-୧୧୪/୨୦୨୧ ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ଏଏସଆଇ ଅରବିନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।