ସଚିନ,ଲତା ମଙ୍ଗେସକର ଓ ବିରାଟ କୋହଲିଙ୍କ ସମେତ ଅନ୍ୟ ଷ୍ଟାରମାନଙ୍କର ଟ୍ୱିଟ ହେବ ଯାଞ୍ଚ

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ସମର୍ଥନରେ ବିଦେଶୀ ସେଲେବ୍ରିଟିଙ୍କ ଟ୍ୱିଟ ଓ ଏହାକୁ ଭାରତୀୟ ସେଲେବ୍ରିଟିଙ୍କ କାଉଣ୍ଟର ଆଟାକରେ ଏବେ ନୂଆ ମୋଡ଼ ଆସିଛି । ବିଦେଶୀ ସେଲେବ୍ରିଟିଙ୍କୁ ବିରୋଧ କରି ଟ୍ୱିଟ କରିଥିବା ସଚିନ ତେନ୍ଦୁଲକର,ଲତା ମଙ୍ଗେସକର,ଅକ୍ଷୟ କୁମାର ଓ ବିରାଟ କୋହଲିଙ୍କ ଭଳି ଷ୍ଟାରମାନଙ୍କର ଟ୍ୱିଟକୁ ଯାଞ୍ଚ କରିବା ପାଇଁ ଆଜି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୋଦି ସରକାରଙ୍କ ଚାପରେ ପଡ଼ି ଏହି ଭାରତୀୟ ତାରକାମାନେ ଟ୍ୱିଟ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଘଟଣାର ଯାଞ୍ଚ ପାଇଁ କହିଛନ୍ତି ।

ଦୀର୍ଘ ୨ ମାସରୁ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏଠାରେ ପାଣି ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଫଳରେ ପପ ଷ୍ଟାର ରିହାନାଙ୍କ ଠାରୁ ଆରମ୍ଭ କରି ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ । ତେବେ ଏହି ଟ୍ୱିଟ ପରେ ଚାଷୀ ସମସ୍ୟା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ବାହାର ଦେଶର ନାଗରିକ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସଚିନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାରଙ୍କ ଭଳି ତାରକାମାନେ ମତ ଦେଇଥିଲେ । ହେଲେ କିଛି ସେଲେବ୍ରିଟି କରିଥିବା ଟ୍ୱିଟରେ ସମାନ ଶବ୍ଦ ଥିବାରୁ ଏହା ଉପରେ ସନ୍ଦେହ ପ୍ରକାଶ ପାଇଥିଲା । ମୋଦି ସରକାରଙ୍କ ଚାପରେ ଭାରତର ସେଲେବ୍ରିଟିମାନେ ଟ୍ୱିଟ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା ।

କଂଗ୍ରେସ ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଏହି ସମୟରେ ସେମାନେ ତାରକାମାନଙ୍କ ଟ୍ୱିଟଗୁଡ଼ିକ ତଦନ୍ତ କରିବାକୁ ଦାବି କରିଥିଲେ । ସେମାନେ କହିଥିଲେ ଯେ ତାରକାମାନେ କରିଥିବା ଟ୍ୱିଟରେ ଥିବା କିଛି ଶବ୍ଦ ସମାନ ରହିଛି । ତେଣୁ ସେମାନେ ନିଜ ଇଚ୍ଛାରେ ଏହାକୁ କରିଛନ୍ତି ନା କାହା ଚାପରେ ବିଦେଶୀ ସେଲେବ୍ରିଟିଙ୍କୁ ବିରୋଧ କରିଛନ୍ତି, ତାହା ଜାଣିବା ସମସ୍ତଙ୍କ ଅଧିକାର । ସୁନୀଲ ସେଟ୍ଟି କରିଥିବା ଟ୍ୱିଟକୁ ବିଜେପିର ମହାରାଷ୍ଟ୍ର ମୁଖ୍ୟଙ୍କୁ ଟ୍ୟାଗ କରିଥିଲେ । ସେହିପରି ଅକ୍ଷୟ କୁମାର ଓ ସାଇନା ନେହୱାଲ କରିଥିବା ଟ୍ୱିଟ ପୂରା ସମାନ ରହିଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ ତାରକାମାନେ ବିଜେପି ସରକାରଙ୍କ ଚାପରେ ପଡ଼ି ଟ୍ୱିଟ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ଅଭିଯୋଗକୁ ଭିତ୍ତି କରି ଅନୀଲ ଦେଶମୁଖ ଟ୍ୱିଟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।