ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ବିଡିପୁର ପଚାଂୟତ ଅନ୍ତର୍ଗତ ବିଡିପୁର ଗ୍ରାମରେ କରୋନା ମହାମାରୀରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ସଂକ୍ରମଣ ବଢିବାରେ ଲାଗିଛି । ଫଳରେ ସଂକ୍ରମଣ ଚେନ୍ କୁ ଭାଙ୍ଗିବା ପାଇଁ ବ୍ଲକ୍ ପ୍ରଶାସନ ଓ ପଚାଂୟତ ପକ୍ଷରୁ ଗ୍ରାମକୁ ଆଜି ଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ, ଜଗନ୍ନାଥପ୍ରସାଦ ବିଡ଼ିଓ ଏବଂ ତହସିଲଦାରଙ୍କୁ ଅବଗତ କରାଯାଇଛି । ଏଥି ସହ ମା ଉଗ୍ରତାରା ବଣିକ ସଂଘ ମଧ୍ୟ ଏହି ନିଷ୍ପତିକୁ ସମର୍ଥନ ଜଣାଇଛି । ସଟ୍ ଡାଉନ୍ ରେ କେବଳ ଔଷଧ ଦୋକାନ ଓ କ୍ଷୀର ବିକ୍ରୀକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ଅବଧି ମଧ୍ୟରେ ଗ୍ରାମବାସୀ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରର ଲୋକ ଗ୍ରାମ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଡ଼ାକ୍ତରଖାନାକୁ ଯାନବାହନ ଛଡାଯିବ । ବିଡିପୁର ଗ୍ରାମରେ ବର୍ତମାନ ଶତାଧିକ ଲକ୍ଷଣଯୁକ୍ତ ତଥା ଜ୍ୱରରେ ଆକ୍ରାନ୍ତ ଅନେକ ଲୋକ ରହିଛନ୍ତି । ଘରକୁ ଘର ବୁଲି ଲୋକଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଉଥିଲେ ମଧ୍ୟ କିଛି ଗ୍ରାମବାସୀ ଏଥିରେ ସହଯୋଗ କରୁନାହାଁନ୍ତି । ଫଳରେ ପଚାଂୟତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।