ପୁରୀ ବସ୍ଷ୍ଟାଣ୍ଡରେ ଜଳିଗଲା ୩ ବସ୍

ପୁରୀ: ପୁରୀ ବସ୍ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ବସ୍ଷ୍ଟାଣ୍ଡରେ ଥିବା ୩ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିଶମ ବାହିନୀର ସୂଚନା ଅନୁସାରେ ଭୁବନେଶ୍ୱରୀ ବସ୍ରେ ପ୍ରଥମେ ନିଆଁ ଲାଗିଥିଲା ।

ଏହାପରେ ଶାରଳା ଓ ବୃନ୍ଦାବନ ବସ୍କୁ ନିଆଁ ବ୍ୟାପିଥିଲା । ବ୍ୟାଟେରୀ ସ୍ପାର୍କରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରଯାଉଛି । ଅନ୍ୟପଟେ ବିଦ୍ୟୁତ୍ ତାରରୁ ନିଆଁ ଲାଗିଥିବା ସନ୍ଦେହରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରଯାଉଛି । ନିଆଁ ଲିଭା କାମରେ ଦୁଇଟି ଦମକଳ ବାହିନୀ ନିୟୋଜିତ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ସମୟରେ ବସରେ କୌଣସି ଯାତ୍ରୀ କିମ୍ବା କୌଣସି କର୍ମଚାରୀ ନଥିଲେ । ହଠାତ୍ ଷ୍ଟାଣ୍ଡରେ ବସ୍ ଗୁଡ଼ିକ ଠିଆ ହୋଇଥିବା ବେଳେ ନିଆଁ ଲାଗିଥିଲା । ନିଆଁ ଦେଖି ଲୋକମାନେ ଏଣେତେଣେ ଦୌଡ଼ିବାକୁ ଆରମ୍ଭ କରିଥିଲେ । ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ସେମାନେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଯେଉଁ ସ୍ଥାନରେ ନିଆଁ ଲାଗିଲା ସେଠାରେ ସବୁବେଳେ ଲୋକଙ୍କ ଭିଡ଼ ରହିଥାଏ । ପାଖରେ ଏକ ମାର୍କେଟ୍ କମ୍ପେ୍ଲକ୍ସ ମଧ୍ୟ ରହିଛି । ଲୋକଙ୍କ ଘର ମଧ୍ୟ ରହିଛି । ଯଦି ସଠିକ୍ ସମୟରେ ନିଆଁକୁ ଆୟତ୍ତ କରାଯାଇନଥାନ୍ତା ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି ।