ସମୟ ଗଡୁଛି: ଆଶଙ୍କା ବଢୁଛି

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାକୁ ୭୦ଘଣ୍ଟାରୁ ଅଧିକ ସମୟ ବିତିଥିଲେ ହେଁ ଟନେଲରେ ଫସିରହିଥିବା ଲୋକଙ୍କୁ ଏଯାଏ ଉଦ୍ଧାର କରାଯାଇପାରିନି । ତେଣୁ ଧୀରେ ଧୀରେ ଆଶଙ୍କା ବଢ଼ିବା ସହିତ ସେନା ଜୋରସୋରରେ ଅପରେସନ୍ ଜାରିରଖିଛି । ହିମସ୍ଖଳନ ଯୋଗୁ ଟନେଲରେ ଫସିରହିଥିବା ୩୫ ଶ୍ରମିକଙ୍କୁ ଉଦ୍ଧାର ଲାଗି ଦିନରାତି ଏକ କରିଦେଇଛନ୍ତି ଯବାନ । ଆଜି ଚତୁର୍ଥ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ମୃତ୍ୟୁସଂଖ୍ୟା ୩୦ ଟପିଥିବା ବେଳେ ଆଉ ୧୮୦ଜଣ ଏବେ ବି ନିଖୋଜ ଅଛନ୍ତି । ଜେସିବିରେ ରାତିତମାମ ପଙ୍କ ଓ କାଦୁଆ କଢ଼ା ଚାଲିଥିଲେ ବି କାମ ଆହୁରି ବାକି ରହିଛି ।

ସେନା,ଆଇଟିବିପି, ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ଯବାନମାନେ ଲଗାତାର ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଅଢ଼େଇ କିଲୋମିଟର ସୁଡ଼ଙ୍ଗର ମାତ୍ର ୧୨୦ରୁ ୧୩୦ ମିଟର ଯାଏ ସମ୍ଭବ ହୋଇଛି । ନୌସେନାର ମରିନ୍ କମାଣ୍ଡୋଙ୍କୁ ଏହି ରେସ୍କ୍ୟୁରେ ସାମିଲ କରାଯାଇପାରେ । ଭିତରର ସ୍ଥିତି କିଭଳି ଅଛି ଚୋପର ଦ୍ୱାରା ହାଇଦ୍ରାବାଦର ଏକ ଟିମ୍ ରିମୋଟ୍ ସେନ୍ସିଂ ଜରିଆରେ ଜାଣିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଟନେଲ ଭିତରକୁ ଶୀଘ୍ର ପହଞ୍ôଚବାକୁ ବିକଳ୍ପ ରାସ୍ତା ଖୋଜୁଛି ଇଞ୍ଜିନିୟରିଂ ଟିମ୍ ।

ସୂଚନାଯୋଗ୍ୟ ଯେ, ତପୋବନ ପାୱାର ପ୍ରୋଜେକ୍ଟରେ ପ୍ରାୟ ୨୦୦ ଶ୍ରମିକ କାମ କରୁଥିଲେ । ଗ୍ଲାସିୟର ଧସି ହୋଇଥିବାର ଜଳପ୍ରୟଳରେ ଶ୍ରମିକମାନେ ଫସି ଯାଇଥିଲେ । ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ସେମାନଙ୍କୁ ଉଦ୍ଧାର କରିବା କାମରେ ଲାଗିଥିଲେ । ବର୍ତ୍ତମାନ ସୁଦ୍ଧା ୩୨ଶବ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରୀ ଅଛନ୍ତି ।

ଅନ୍ୟପକ୍ଷରେ ୱାଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ ହିମାଲୟାନ୍ ଜୁଲୋଜିର ବୈଜ୍ଞାନିକ ପ୍ରାରମ୍ଭିକ ଆକଳନ କରି କହିଛନ୍ତି ଯେ, ଦୁଇଦିନ ପୂର୍ବରୁ ଉତ୍ତରାଖଣ୍ଡରେ ଆକସ୍ମିକ ଭାବେ ବନ୍ୟା ଆସିବାର କାରଣ ହେଉଛି ଝୁଲି ରହିଥିବା ଗ୍ଲାସିୟର ହଠାତ୍ ଧସି ଆସିଥିଲା । ଝୁଲି ରହିଥିବା ଗ୍ଲାସିୟର ଏମିତି ଏକ ହିମଖଣ୍ଡ ଯାହା ଅତ୍ୟଧିକ ସ୍ଲୋପିଂ ବା ଗଡାଣିଆ ହୋଇରହିଲେ ଉପରି ଭାଗ ଏମିତି ଧସିଯାଇଥାଏ ।

ଅନ୍ୟପକ୍ଷରେ ଏହାର ନିର୍ଦ୍ଦେଶକ କଳାଚନ୍ଦ ସେନ୍ କହିଛନ୍ତି ଏଠାରେ ଆଗରୁ ମଧ୍ୟ ଏପରି ହୋଇଥିଲା । ରୋନ୍ଥି ଗ୍ଲାସିୟର ନିକଟରେ ଝୁଲି ରହିଥିବା ଏକ ଗ୍ଲାସିୟର ଏହିପରି ଧସିଥିଲା ।