-କେନ୍ ବେତୱା ଲିଙ୍କ ପ୍ରକଳ୍ପ ଲାଗି ଐତିହାସିକ ବୁଝାମଣା ପତ୍ର ହେବ ସ୍ୱାକ୍ଷରିତ
-ଜଳ ସଂରକ୍ଷଣ ପାଇଁ ‘ଜଳ ଶପଥ’ ଗ୍ରହଣ କରିବେ ଗ୍ରାମସଭା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳ ଦିବସ ଆଜି ମଧ୍ୟାହ୍ନ ସାଢ଼େ 12ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ ଶକ୍ତି ଅଭିଯାନ: କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନଦୀ ସଂଯୋଗୀକରଣ ନିମନ୍ତେ ରାଷ୍ଟ୍ରବ୍ୟାପୀ ଯୋଜନାର ପ୍ରଥମ ପ୍ରକଳ୍ପ କେନ୍ ବେତୱା ଲିଙ୍କ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଐତିହାସିକ ବୁଝାପତ୍ର ସ୍ୱାକ୍ଷରିତ ହେବ।
‘ଜଳ ଶକ୍ତି ଅଭିଯାନ : କ୍ୟାଚ୍ ଦ ରେନ୍’ ସମ୍ପର୍କରେ
ଏହି ଅଭିଯାନ ଦେଶବ୍ୟାପୀ ଗ୍ରାମୀଣ ଓ ସହରୀ କ୍ଷେତ୍ରରେ ଏକକାଳୀନ ଭାବେ କାର୍ଯ୍ୟକାରୀ କରାଯିବ। ଏହାର ବିଷୟବସ୍ତୁ ରହିବ “ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ବର୍ଷା ଜଳ ସଂରକ୍ଷଣ”। ଏହି ଅଭିଯାନକୁ ଦେଶରେ ମୌସୁମୀ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ଏବଂ ମୌସୁମୀ ବର୍ଷା ଋତୁ ଶେଷ ହେବା ମଧ୍ୟରେ ଅର୍ଥାତ୍ ୨୨ ମାର୍ଚ୍ଚ, ୨୦୨୧ ଠାରୁ ୩୦ ନଭେମ୍ବର ୨୦୨୧ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଜନସାଧାରଣଙ୍କର ଭାଗିଦାରୀ ଜରିଆରେ ତୃଣମୂଳସ୍ତରରେ ଜଳ ସଂରକ୍ଷଣ ବାର୍ତ୍ତା ପହଞ୍ଚାଇବା ଲାଗି ଜନ ଆନ୍ଦୋଳନ ରୂପରେ ଏହି ଅଭିଯାନକୁ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ବର୍ଷା ଜଳର ଉପଯୁକ୍ତ ସଂଗ୍ରହକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ସକ୍ରିୟ କରିବା ଯାହାଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ପାଣିପାଗ ଏବଂ ଭୌଗଳିକ ସ୍ଥିତି ଅନୁଯାୟୀ ବର୍ଷା ଜଳ ସଂରକ୍ଷଣ ଲାଗି ଆବଶ୍ୟକ ନିର୍ମାଣ କାର୍ଯ୍ୟ କରିପାରିବେ।
ଏହି କାର୍ଯ୍ୟକ୍ରମ ପରେ ଜଳ ଓ ଜଳ ସଂରକ୍ଷଣ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିଚାରବିମର୍ଶ କରିବା ଲାଗି ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକୁ ଛାଡ଼ି ଦେଶର ସମସ୍ତ ଜିଲ୍ଲାର ଗ୍ରାମପଞ୍ଚାୟତ ଗୁଡ଼ିକରେ ଗ୍ରାମସଭା ଆୟୋଜନ କରାଯିବ। ଗ୍ରାମସଭାଗୁଡ଼ିକ ମଧ୍ୟ ଜଳ ସଂରକ୍ଷଣ ନିମନ୍ତେ ‘ଜଳ ଶପଥ’ ଗ୍ରହଣ କରିବେ।
କେନ୍ ବେତୱା ଲିଙ୍କ ପ୍ରକଳ୍ପ ଲାଗି ବୁଝାମଣାପତ୍ର ସମ୍ପର୍କରେ
ଏହି ବୁଝାମଣା ଆନ୍ତଃରାଜ୍ୟ ସହଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ। ବିଭିନ୍ନ ନଦୀକୁ ପରସ୍ପର ମଧ୍ୟରେ ସଂଯୋଗ କରି ନଦୀରେ ବୋହି ଯାଉଥିବା ବଳକା ଜଳକୁ ମରୁଡ଼ି ପ୍ରବଣ ଏବଂ ଜଳସଂକଟଗ୍ରସ୍ତ ଇଲାକାରେ ପହଞ୍ଚାଇବା ନିମନ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ସ୍ୱପ୍ନ ଦେଖିଥିଲେ। ଏହି ପ୍ରକଳ୍ପ ଜରିଆରେ ଦୌଧନ ନଦୀ ବନ୍ଧ ନିର୍ମାଣ କରି କେନ ଓ ବେତୱା ନଦୀକୁ ପରସ୍ପର ସହ ସଂଯୋଗ କରିବା ଏବଂ ଦୁଇ ନଦୀକୁ ଏକ ଏକ କେନାଲ ଜରିଆରେ ଯୋଡ଼ିବା, ନିମ୍ନ ଓର ପ୍ରକଳ୍ପ, କୋଠା ବ୍ୟାରେଜ ଓ ବୀଣା ସଙ୍କୁଳ ବହୁମୁଖୀ ପ୍ରକଳ୍ପ ମାଧ୍ୟମରେ କେନ ନଦୀର ପାଣିକୁ ବେତୱା ନଦୀରେ ପହଞ୍ଚାଇବା ସମ୍ଭବ ହୋଇପାରିବ। ଏହା ବାର୍ଷିକ ୧୦.୬୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ସହିତ ୬୨ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରିବ। ଏଥିସହିତ ୧୦୩ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ କରିବ।
ଜଳସଙ୍କଟଗ୍ରସ୍ତ ବୁନ୍ଦେଲଖଣ୍ଡ ଇଲାକା, ବିଶେଷ କରି ମଧ୍ୟପ୍ରଦେଶର ପନ୍ନା, ଟିକମଗଡ଼, ଛତାରପୁର, ସାଗର, ଦାମୋହ, ଦତିଆ, ବିଦିଶା, ଶିବପୁରୀ ଓ ରାଏସେନ ଏବଂ ଉତ୍ତର ପ୍ରଦେଶର ବାନ୍ଦା, ମାହୋବା, ଝାନସୀ ଓ ଲଳିତପୁର ଜିଲ୍ଲା ଏହି ପ୍ରକଳ୍ପ ଯୋଗୁ ବିଶେଷ ଭାବେ ଲାଭ ପାଇପାରିବେ। ଏହା ଜଳ ସଂକଟ ଦୂର କରିବା ଲାଗି ଅଧିକ ସଂଖ୍ୟକ ନଦୀଗୁଡ଼ିକର ସଂଯୋଗୀକରଣ ଲାଗି ମାର୍ଗପ୍ରଶସ୍ତ କରିବ ଏବଂ ଜଳାଭାବ ସମସ୍ୟା ଦେଶର ବିକାଶରେ ବାଧା ସୃଷ୍ଟି କରିବ ନାହିଁ।