ବିଦେଶୀ ମଦ ଚୋରା ଚାଲାଣ ଘଟଣାରେ ୨ ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରସ୍ଥ ହାଟପଦା ନିକଟରେ ଥିବା ବିଦେଶୀ ମଦ ଦୋକାନରୁ ବେଆଇନ ମଦ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଛନ୍ତି । ଏଥି ସହ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଗୋବିନ୍ଦଚନ୍ଦ୍ର ଗୌଡ ସୂଚନା ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତ୍ରରେ ଓଡି ୦୭ ଏନ୍ ୩୧୬୫ ନମ୍ବର ବିଶିଷ୍ଟ ବୋଲର ଗାଡିରେ ବିଦେଶୀ ମଦ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଥାନା ପୋଲିସ ହାତୀବାଡି ଗ୍ରାମ ନିକଟରେ ଛପି ରହିଥିଲେ । ପରେ ବିଳମ୍ବିତ ରାତ୍ରରେ ମଦ ବୋଝଇ ବୋଲେର ଗାଡିଟି ଆସିଥିଲା । ପୂର୍ବରୁ ପ୍ରସ୍ତୁତ ରହିଥିବା ରାୟଗଡ ପୋଲିସ ଗାଡିଟିକୁ ଅଟକାଇ ତନଖି କଲାବେଳେ ସେଥିରେ ବ୍ୟାପକ ପରିମାଣର ବିଦେଶୀ ମଦ ପେଟି ଦେଖିବାକୁ ପାଇଥିଲେ । ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଘଟଣାରେ ସମ୍ପୃକ୍ତିକୁ ନେଇ ବୋଲେର ଡ୍ରାଇଭର ଓ ତାର ସହଯୋଗୀକୁ ଗିରଫ କରିଥିଲେ । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ରାୟଗଡ ଥାନାରେ ୧୧୦/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।