ପାଳ କୁଡିଆରେ ନିଆଁଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

କଲ୍ୟାଣ ସିଂହପୁର: ରାୟଗଡ଼ା ଜିଲ୍ଲା  କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ପାଳକୁଡିଆରେ ନିଆଁ ଲାଗି ଦୁଇ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ, ଆଜି ଗ୍ରାମ ନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଟାତ ପାଳ କୁଡିଆରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ଥିବାବେଳେ ଏହି ଦୁର୍ଘଟଣାରେ ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ମାଝୀ ଏବଂ ଦୁର୍ଯ୍ୟୋଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଆଜି ପ୍ରଥମେ କିଛି ଲୋକ କୁଡିଆ ଜଳୁଥିବା ଦେଖି ସେଠାକୁ ଯାଇଥିଲେ । ସେତେବେଳକୁ କୁଡିଆଟି ସମ୍ପୂର୍ଣ୍ଣ ଜଳିଯାଇଥିଲା  ।  ଏହାପରେ ଏନେଇ ଗ୍ରାମବାସୀମାନେ କାଶୀପୁର ପୁଲିସକୁ ସୂଚନା ଦେବାପରେ ଥାନା ଆଇଆଇସି ସୁନିଲ ଅରୁଣ କୁମାର ନାଏକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଘଟଣା ସ୍ଥଳରୁ ଦୁଇଟି ଶବକୁ ଉଦ୍ଧାର କରାଯିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।