ଜିଏସଟି ଫାଙ୍କିବା ଅଭିଯୋଗରେ ଦୁଇଟି ସୋୟାବିନ୍ ତେଲ ବୋଝେଇ ଟ୍ରକ୍ ଜବତ : ଦୁଇ ଲୁଟେରା ଅଟକ

କେନ୍ଦୁଝର: ଜିଏସଟି ଫାଙ୍କିବା ଅଭିଯୋଗରେ ଦୁଇଟି ସୋୟାବିନ୍ ତେଲ ବୋଝେଇ ଟ୍ରକ୍ ଜବତ ହୋଇଛି । ତେଲକୋଇରୁ ଡ଼୍ରାଇଭରଙ୍କୁ ମାଡ ମାରି ଟ୍ରକ୍ ଲୁଟିନେବା ବେଳେ ଏହାକୁ ଧରିଛନ୍ତି ରାଉରକେଲା ଜିଏସଟି ଅଧିକାରୀ ଓ କର୍ମଚାରୀ ମାନେ । ଜବତ ଦୁଇଟି ଟ୍ରକ୍ କୁ କୁଆଁରମୁଣ୍ଡା ଫାଣ୍ଡି ପୋଲିସକୁ ହସ୍ତାନ୍ତର କରିଛି ରାଉରକେଲା ଜିଏସଟି ।
ସୂଚନା ଅନୁଯାୟୀ, ଓଡ଼ିଶାରୁ ବିହାର ସୋୟାବିନ୍ ତେଲ ପରିବହନ କରୁଥିବା ଏହି ଟ୍ରକ୍ ଦୁଇଟିକୁ ଲୁଟ୍ କରିଥିଲେ ଦୁଇ ଦୁର୍ବୃତ । ଦୁଇ ଟ୍ରକ୍ ଡ଼୍ରାଇଭରଙ୍କୁ ମାଡ ମାରି ଜଙ୍ଗଲରେ ଫୋପାଡି ଟ୍ରକ୍ ଲୁଟି ନେଇଥିଲେ ଦୁର୍ବୃତ । ଘଟଣାରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୋୟାବିନ୍ ତେଲ ଜବତ ହୋଇଛି । ଦୁଇଟି ଟ୍ରକ୍ କୁ ପୋଲିସ ଜବତ କରିବା ସହ ଦୁଇ ଲୁଟେରାଙ୍କୁ କୁଆଁରମୁଣ୍ଡା ଫାଣ୍ଡିରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଏପରିକି ଉଭୟ ଟ୍ରକ୍ ର କାଗଜପତ୍ର ଠିକ୍ ନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସେହିପରି ଲୁଟେରାଙ୍କ ତଥ୍ୟକୁ ଭିତି କରି ଗୁରୁତର ଦୁଇ ଡ଼୍ରାଇଭରଙ୍କୁ ପୋଲିସ ଉଦ୍ଧାର କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।