ଭାରତକୁ ଜାତିସଂଘର ପ୍ରଶଂସା

ଜେନେଭା: କରୋନା ଲଢ଼େଇ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି ଜାତିସଂଘର ପ୍ରମୁଖ ଆଣ୍ଟୋନିଓ ଗୁଟେରସ । ଭାରତ ବିଭିନ୍ନ ଦେଶକୁ କରୋନା ଟିକା ଯେଉଁଭଳି ଭାବରେ ଯୋଗାଉଛି ତାହା ପ୍ରଶଂସାଯୋଗ୍ୟ ବୋଲି ଗୁଟେରସ୍ କହିଛନ୍ତି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍.ତିରୁମୂର୍ତ୍ତି ଶନିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତର ଟିକା କୂଟନୀତି ସାରା ବିଶ୍ୱର ହୃଦୟ ଜିତିଛି ବୋଲି ଗୁଟେରସ କହିଥିବା ତିରୁମୂର୍ତ୍ତି କହିଛନ୍ତି ।

ଜାତିସଂଘର ପ୍ରମୁଖ ଗୁଟେରସ୍ ଏ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ମଧ୍ୟ ଚିଠି ଲେଖି ବ୍ୟକ୍ତିଗତ ଭାବରେ ପ୍ରଶଂସା କରିଛନ୍ତି । କରୋନା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାରି ଭିତରେ ଜୀବନ ରକ୍ଷକ ଭାବରେ ଉଭା ହୋଇଥିବା ଟିକାକୁ ଭାରତ ନିଜ ଦେଶ ପାଇଁ ତିଆରି କରିବା ସହିତ ଅନ୍ୟ ଦେଶକୁ ମଧ୍ୟ ରପ୍ତାନୀ କରୁଛି । ଏଯାବତ ଭାରତ ବିଦେଶକୁ ୨ ଲକ୍ଷ ଟିକା ଯୋଗାଇ ସାରିଲାଣି । ଯାହାକୁ ଜାତିସଂଘର ଶାନ୍ତିରକ୍ଷା କମିଟି ପ୍ରଶଂସା କରିଛି ବୋଲି ଜୟଶଙ୍କରଙ୍କୁ ଗୁଟେରସ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ।

ତିରୁମୂର୍ତ୍ତି ତାଙ୍କ ଟ୍ୱିଟରେ ଗୁଟେରସଙ୍କ ଚିଠିକୁ ବ୍ୟାଖ୍ୟା କରିବାକୁ ଯାଇ ଆହୁରି ଲେଖିଛନ୍ତି କରୋନା ମୁକାବିଲା ପାଇଁ ଭାରତ ବିଶ୍ୱରେ ଯେଉଁଭଳି ଭାବରେ ନେତୃତ୍ୱ ନେଉଛି ତାହା ବାସ୍ତବିକ ଭାବରେ ପ୍ରଶଂସାଯୋଗ୍ୟ । ଏଯାବତ ୧୫୦ରୁ ଅଧିକ ଦେଶକୁ ଭାରତ ଆବଶ୍ୟକ ଔଷଧ, କରୋନା କିଟ୍, ଭେଣ୍ଟିଲେଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆଦି ଯୋଗାଇଛି ବୋଲି ଗୁଟେରସ୍ ତାଙ୍କ ଚିଠିରେ
ଲେଖିଥିବା ସୂଚନା ରହିଛି ।

ଜାତିସଂଘର ଶାନ୍ତି ସ୍ଥାପନା ଅନୁସାରେ ବିଶ୍ୱରେ ଏଯାବତ ୧୨ଟି ଅଭିଯାନରେ ୯୪,୪୮୪ କର୍ମୀ ନିୟୋଜିତ ଅଛନ୍ତି । ମୋଟ୍ ୧୨୧ଟି ଦେଶର କର୍ମୀ ନିୟୋଜିତ ଅଛନ୍ତି । ଯେଉଁଥିରେ ଅଧିକ ସବୁଠୁ ଅଧିକ “ଯୋଦ୍ଧା’ ଭାରତରେ ନିୟୋଜିତ ଅଛନ୍ତି ।