ଆଜିଠୁ ବୟସ୍କଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାକରଣ । ଉଭୟ ସରକାରୀ ଓ ସରକାରୀ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଏହି ଟିକାକରଣ କରାଯିବ । ଏଥିପାଇଁ ୬୦ବର୍ଷରୁ ବୟସ୍କ ଏବଂ ବହୁରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କୋୱିନ୍ ଆପ୍ରେ ପଞ୍ଜିକରଣ କରିବାକୁ ପଡିବ । ଘରୋଇ ଟିକାକରଣ କେନ୍ଦ୍ରରେ ସର୍ଭିସ୍ ଚାର୍ଜକୁ ମିଶାଇ ୨୫୦ ଟଙ୍କା ଦେବାକୁ ପଡିବ ଓ ସରକାରୀ ଡାକ୍ତରଖାନରେ ମାଗଣାରେ ଟିକା ମିଳିବ ।

ତେବେ କିଏ କେଉଁଠି ଟିକା ନେବେ ତାହା ଟିକା ନେବା ବ୍ୟକ୍ତି ହିଁ ସ୍ଥିର କରିବେ । କୋ ୱିନ୍-ଟୁ ଆପ୍ ୬୦ ବର୍ଷରୁ ଉର୍ଦ୍ଧର ବ୍ୟକ୍ତିଙ୍କୁ ନିଜ ମୋବାଇଲ ନମ୍ବର ଓ ପରିଚୟପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ସେହିପରି ବହୁ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନେ ଟିକା ନେବାକୁ ହେଲେ ପଞ୍ଜିକରଣ ସମୟରେ ଡାକ୍ତରୀ ସାଟିଫିକେଟ୍ ଦେଇ ରେଜିଷ୍ଟ୍ରେସନ  କରିବେ । କିଏ କେଉଁ ସ୍ଥାନରେ ଟିକା ନେବେ ତାହା ସେମାନେ ସ୍ଥିର କରିବେ ।

ଟିକାକରଣ କେନ୍ଦ୍ର ହୋଇଥିବା ଘରୋଇ ଡାକ୍ତରଖାନାରେ ଟିକା ନେବାକୁ ହେଲେ ସର୍ଭିସ୍ ଚାର୍ଜକୁ ମିଶାଇ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ପଡିବ । କିନ୍ତୁ ସରକାରୀ ଡାକ୍ତଖାନାରେ ଏହା ମାଗଣାରେ ମିଳିବ । ରାଜ୍ୟର ସବୁ ସରକାରୀ ଡାକ୍ତରଖାନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ୧୮୩ ଘରୋଇ ମେଡିକାଲରେ ଟିକାକରଣ ବ୍ୟବସ୍ଥା ହୋଇଛି । ଟିକାକରଣ ଲାଗି ଗୋଟିଏ ପରିବାରର ଥରକେ ୪ଜଣ ବୟସ୍କ ବ୍ୟକ୍ତି ନାମ ପଞ୍ଜିକରଣ କରିପାରିବେ । ଯେଉଁମାନେ ଅନ୍ଲାଇନ୍ ପଞ୍ଜିକରଣ କରିପାରିବେ ନାହିଁ ସେମାନେ ଅନସ୍ପଟ ରେଜିଷ୍ଟ୍ରେସନ୍ କରିପାରିବେ ।

ତେବେ ସାଥିରେ ପରିଚୟପତ୍ର ନେବାକୁ ପଡିବ । ଦିନ ୯ଟାରୁ ଟିକାକରଣ ଆରମ୍ଭ ହେଉଥିବା ବେଳେ ଗୋଟିଏ କେନ୍ଦ୍ରରେ ଦିନକୁ ୧୦୦ଜଣଙ୍କୁ ଟିକା ଦିଆଯିବ । ତେବେ ଟିକା ନେବାର ଅଧ ଘଣ୍ଟା ଯାଏଁ ପ୍ରତ୍ୟେକ ଅବଜର୍ଭେସନ୍ରେ ରହିବେ ।