ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାନୁଆରୀ ୧୬ରୁ ଅର୍ଥାତ୍ ଶନିବାରଠାରୁ ଟିକାକରଣ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ । ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ । ସୂଚନାଯୋଗ୍ୟ ଯେ, ପ୍ରଥମ ଦିନରେ ୨,୯୩୪ଟି ସ୍ଥାନରେ ପ୍ରାୟ ତିନି ଲକ୍ଷ ସ୍ୱ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୋ-ୱିନ୍ (କୋଭିଡ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ) ଆପ୍ ମଧ୍ୟ ଲଞ୍ଚ କରିବେ । କୋ-ୱିନ୍ ହେଉଛି ଭାରତ ସରକାରଙ୍କ ଦ୍ୱାରା ବିକଶିତ ହୋଇଥିବା କୋଭିଡ-୧୯ ଟିକାକରଣ ବିତରଣ କାର୍ଯ୍ୟକ୍ରମର ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ମାଧ୍ୟମରେ ସାରା ଦେଶରେ ଟିକାକରଣ ବିତରଣ କାର୍ଯ୍ୟକ୍ରମ ଉପରେ ନଜର ରଖାଯିବ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧା ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଟିକାଦାତାଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ
ଅଞ୍ଚଳକୁ ପରାମର୍ଶ ଦେଇଛି । ୧୦ ପ୍ରତିଶତ ଟିକା ସଂରକ୍ଷଣ କରାଯିବା ଉଚିତ୍ କାରଣ ଏହି ମାତ୍ରା ନଷ୍ଟ ହୋଇପାରେ । ମନ୍ତ୍ରଣାଳୟ କହିଛି ଯେ ଟିକାକରଣ କାର୍ଯ୍ୟ ଅଗ୍ରଗତି ସମୟରେ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ତେବେ ଆପଣଙ୍କ ପସନ୍ଦର ଟିକାକରଣ ଏବେ ଏକ ବିକଳ୍ପ ନୁହେଁ ।
ଭାରତ ସରକାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି । ମଙ୍ଗଳବାର ସରକାର ସୂ·ଇ ଦେଇଛନ୍ତି ଯେ ଟିକାକରଣରେ ଜଡିତ ଥିବା ଲୋକଙ୍କୁ ସେମାନଙ୍କ ପସନ୍ଦ ସମୟରେ ଟିକାକରଣର ବିକଳ୍ପ ଦିଆଯିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ଏକ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ମାଗଣାରେ ଦୁଇ କୋଟି ଟିକା ପ୍ରଦାନ କରାଯିବ । ଏହାପରେ ୫୦ବର୍ଷରୁ ଅଧିକ ବୟସର ଲୋକ ଏବଂ ଗୁରୁତର ରୋଗରେ ପୀଡିତ ୫୦ବର୍ଷ ବୟସରୁ କମ୍ ଲୋକଙ୍କୁ ଟିକାକରଣ କରାଯିବ । ଏହିପରି ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ । ଭାରତରେ ଟିକାକରଣ ଅଭିଯାନ ପାଇଁ ୨୩୬୦ ଲୋକଙ୍କୁ ଜାତୀୟସ୍ତରର ତାଲିମ ଶିବିରରେ ତାଲିମ ଦିଆଯାଇଛି । ଏଥିମଧ୍ୟରେ ରାଜ୍ୟ ପ୍ରତିରକ୍ଷା ଅଧିକାରୀ, ରେଫ୍ରିଜ୍ରେଜେସନ୍ ଚେନ୍ ଅଫିସର, ଆଇଇସି ଅଧିକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାର ଅଛନ୍ତି । ଏହା ବ୍ୟତୀତ ୬୧ହଜାରରୁ ଅଧିକ କାର୍ଯ୍ୟକ୍ରମ ପରିଚାଳନା, ଦୁଇଲକ୍ଷ ଟିକାକରଣ କର୍ମ·ରୀ ଏବଂ ତିନିଲକ୍ଷ ୭୦ହଜାର ଅନ୍ୟ କର୍ମ·ରୀଙ୍କୁ ରାଜ୍ୟ, ଜିଲ୍ଲା ତଥା ବ୍ଲକ୍ସ୍ତରରେ ତାଲିମ ଦିଆଯାଇଛି ।
ଟିକାକରଣ ପାଇଁ ଏସ୍ଏମ୍ଏସ୍
ଭୁବନେଶ୍ୱର: ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ୍ ଟିକାକରଣ । ଏଥିାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଜିକୃତ କରିଥିବେ ସେମାନଙ୍କ ପାଖକୁ ଆଜି ଏସ୍ଏମ୍ଏସ୍ ଯିବ । ଏହି ଏସ୍ଏମ୍ଏସ୍ ଜରିଆରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ, ସେ ନେଇ ସମସ୍ତ ସୂଚନା ପାଇବେ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ୧୬ ତାରିଖରେ ସବୁ ରାଜ୍ୟରେ ଟିକାକରଣ ହେବ । ସେହିଦିନ ସକାଳେ ଭ୍ୟାକ୍ସିନ୍ ଦେବା ପାଇଁ ପ୍ରତି ସେସନ୍ରେ ଅଲଗା ଅଲଗା ଟିକାକରଣ ଟିମ୍ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିବା ପରେ ଟିକାକରଣ ଆରମ୍ଭ ହେବ । ଟିକାକରଣ ନେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ଆଜି ଏକ ଟିକାକରଣ ସ୍ଏମ୍ଏସ୍ ଯିବ । ଏଥିରେ ଟିକାକରଣର ତାରିଖ, ସମୟ ଓ ସ୍ଥାନ ଉଲ୍ଲେଖ ରହିବ । ଟିକାକରଣ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ । ତେବେ ଟିକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନ୍ରେ ରଖାଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପ୍ରତିଟି ବ୍ୟକ୍ତିଙ୍କୁ ଗୋଟିଏ ପ୍ରକାରର ଟିକା ଦିଆଯିବ । ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଦିଆଯିବ ସେମାନଙ୍କୁ ୨ୟ ଡୋଜ୍ରେ ମଧ୍ୟ ଏହି ଟିକା ଦିଆଯିବ । ଟିକା ପ୍ରଥମ ଡୋଜ୍ର ୨୮ ଦିନ ପରେ ୨ୟ ଟିକା ଦିଆଯିବ । ୨ୟ ଟିକା ନେବାର ୧୪ ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ । ଯଦି ପ୍ରଥମ ଟିକା ନେବା ପରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି, ତାହେଲେ ତାଙ୍କୁ ୨ୟ ଡୋଜ ଦିଆଯିବ ନାହିଁ । ସେହି ବ୍ୟକ୍ତିଜଣକ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଟିକା ଦିଆଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଟିକାକରଣ ପାଇଁ ରାଜ୍ୟକୁ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି । ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ । ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ଟିକା ପହଞ୍ଚିସାରିଛି । ପ୍ରଥମ ପର୍ଯ୍ୟାୟରେ ଆମେ କ୍ରିଟିକାଲ ଇନ୍ଷ୍ଟିଚ୍ୟୁସନ୍, ତା’ ପରେ ସେକେଣ୍ଡାରୀ ଇନ୍ଷ୍ଟିଚ୍ୟୁସନ୍ ଏବଂ ଏହାପରେ ପ୍ରାଇମେରୀ ଇନ୍ଷ୍ଟିଚ୍ୟୁସନ୍ରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟକୁ ଦୁଇ ପ୍ରକାରର ଟିକା ଆସିଛି । କୋଭିସିଲ୍ଡ ଟିକା ୪ଲକ୍ଷ ୮୦ ହଜାର ଏବଂ ୨୦ହଜାର କୋଭାକ୍ସିନ୍ ଟିକା ଆସିଛି । ସବୁ ଜିଲ୍ଲାକୁ ଟିକାଗୁଡ଼ିକକୁ ପଠାଇ ଦିଆଯାଇଛି । କେବଳ ଟିକାକରଣକୁ ଅପେକ୍ଷା ରହିଲା ।