ସୋମବାର ଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଖୋଲିବ ବିଭିନ୍ନ ଧର୍ମାନୁଷ୍ଠାନ

ଖୋର୍ଦ୍ଧା : ରାଜ୍ୟରେ କୋଭିଡ୍ ସ୍ଥିତି ତଳମୁହାଁ ହୋଇଥିବାରୁ ରାଜ୍ୟରେ ଅନଲକ୍ ନିୟମ ଲାଗୁ ହୋଇଛି । ତେବେ ଦୋକାନ ବଜାର କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ ଧୀରେ ଧୀରେ ଖୋଲିବା ପରେ ମନ୍ଦିର, ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନ ଖାେଲିବା ନେଇ ଜିଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ମନୋଜ କୁମାର ପାଢିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆସନ୍ତା ସୋମବାର ଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ହେଲେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ପାରିବେ । କୋଭିଡ କଟକଣା ମଧ୍ୟରେ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ କରିପାରିବେ । ମାତ୍ର ରାତି ୮ଟା ପର୍ଯ୍ୟନ୍ତ ପୂଜକ କେବଳ ପୁଜା କରିପାରିବେ ।

ସେହିପରି ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ରୋଗୀ ଆଦି ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନକୁ ନଯିବା ଉଚିତ ବୋଲି ବୈଠକରେ କୁହାଯାଇଛି । ଏପରିକି ଯଦି କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ କୋଭିଡ କଟକଣା ଉଲଂଘନ କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୋଭିଡ ନିୟମ ପାଳନ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ କମିଟି ଦାୟିତ୍ୱ ନେବେ। ଏଥିପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଧର୍ମାନୁଷ୍ଠାନ ଗୁଡିକୁ ନିୟମାବଳୀ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ଏହି ବୈଠକରେ ଖୋର୍ଦ୍ଧା ଉପଖଣ୍ଡର ତହସିଲଦାର ଓ ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।