କରୋନାର ଘଡିସନ୍ଧି ମୁହୂର୍ତ୍ତରେ ଗଜପତିରେ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାର ଋଣ ଆଦାୟ ନେଇ ଦୈରାତ୍ମ୍ୟ

ପାରଳାଖେମୁଣ୍ଡି : କରୋନାର ପ୍ରାଦୁର୍ଭାବ ଓ ଆତଙ୍କରେ ଲୋକେ ଭୟଭୀତ ହୋଇ ଲକଡାଉନ୍ ଓ ସଟ୍‌ଡାଉନ୍ ମଧ୍ୟରେ ଜୀବନଯାପନ କରୁଛନ୍ତି । ମାସ ମାସ ଧରି ଜନସାଧାରଣ ସମସ୍ତ ରୋଜଗାରକୁ ହରାଇ ଆର୍ଥିକ ସଙ୍କଟ ମଧ୍ୟରେ ଅତ୍ୟନ୍ତ ଦୁଃଖ କଷ୍ଟରେ ପରିବାର ପରିପୋଷଣ କରିଆସୁଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବେଢି ଉପରେ କରଡା ମାଡ ଭଳି କେତେକ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା ଲୋକଙ୍କୁ ବିଭିନ୍ନ ଭାବେ ଧମକାଇ ଋଣ ପରିଶୋଧ କରିବା ପାଇଁ ତାଗିଦ କରି ଆସୁଥିବା ଲକ୍ଷ୍ୟ କରାଯାଇଛି ।

ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲାରେ ଏହି ଅର୍ଥଲଗାଣକାରୀ ସଂସ୍ଥାର ଜୋରଜବରଦସ୍ତି ଦୈରାତ୍ମ୍ୟରେ ସାଧାରଣରେ ବେଶ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଏକ ଘଟଣା ପାରଳାଖେମୁଣ୍ଡି ସହରର ବାଟଗୌଡ ସାହିରେ ନଜରକୁ ଆସିଛି । ଏକ ଅର୍ଥଲଗାଣକାରୀ ସଂସ୍ଥା ଏହି ସାହିର ୨୦ଜଣ ମହିଳାଙ୍କୁ ଏକ ଗ୍ରୁପ କରି କିଛି ଟଙ୍କା ଋଣ ଆକାରରେ ଦେଇଛନ୍ତି । ହେଲେ ଏହି ମହିଳାମାନେ ଗତ ଦୁଇ ମାସ ହେଲା ସେମାନଙ୍କର ବର୍ଦ୍ଧିତ କିସ୍ତି ସଂସ୍ଥାର ମାଲିକଙ୍କୁ ପୈଠ କରିନାହାନ୍ତି । ତେଣୁ ଏହି ସଂସ୍ଥାର କିଛି ବ୍ୟକ୍ତି ବାଟଗୌଡସାହି ଠାରେ ପହଞ୍ଚି ମହିଳାମାନଙ୍କ ଘର ନିକଟକୁ ଯାଇ ସେମାନଙ୍କୁ ତୁରନ୍ତ ବର୍ଦ୍ଧିତ କିସ୍ତିର ଟଙ୍କା ପରିଷୋଧ ପାଇଁ ତାଗିଦ କରିବା ସହ ବିଭିନ୍ନ ଭାବେ ଭୟଭୀତ କରୁଥିବା ଦେଖାଦେଇଛି । ଏନେଇ ସମ୍ପୃକ୍ତ ମହିଳାମାନେ ଏହି ସଂସ୍ଥାର କର୍ମକର୍ତ୍ତାଙ୍କୁ ଅନୁନୟ ବିନୟ ହୋଇ କହିଛନ୍ତି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଆମ ଗ୍ରୁପର ସମସ୍ତ ବ୍ୟବସାୟ ବନ୍ଦ ରହିଛି । ବହୁ କଷ୍ଟରେ ଆମେ ପରିବାରର ଗୁଜରଣ ମେଣ୍ଟାଉଛୁ । ତଥାପି ଏହି ସଂସ୍ଥାର କର୍ମଚାରୀମାନେ ପଲଟି ସେମାନଙ୍କୁ ନାଲି ଆଖି ଦେଖାଇ କହିଥିଲେ ଲକ୍‌ଡାଉନ୍‌, ସଟ୍‌ଡାଉନ୍ ନା କହି ଆମ ଟଙ୍କା ହଡପ କରିବା ପାଇଁ ଚେଷ୍ଟା ଚାଲିଛି । ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି । ତେଣୁ ତୁମ୍ଭେମାନେ ଏହି ସମୟରେ ନିଶ୍ଚିତ ବ୍ୟବସାୟ କରୁଥିବ । ତେଣୁ ତୁମେ ବର୍ଦ୍ଧିତ ହୋଇଥିବା ଆମ କିସ୍ତିକୁ ଦେବାକୁ ପଡିବ ବୋଲି ତାଗିତ କରିଥିଲେ ।

ଏଭଳି ଜୋର ଜବରଦସ୍ତି ଚାଲିଥିବା ବେଳେ ବାଟଗୌଡସାହିର ଜଣେ ଜଣା ଶୁଣା ଯୁବ ସମାଜସେବୀ ପାରଳାଖେମୁଣ୍ଡି ପୋଲିସ ଥାନାକୁ ଘଟଣା ନେଇ ଜଣାଇଥିଲେ । ଏଥିରେ ପାରଳାଖେମୁଣ୍ଡି ପୋଲିସ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ଏଭଳି ଦୈରାତ୍ମ୍ୟ ଯୋଗୁଁ ତାଗିଦ କରିବା ସହ ଏଭଳି ଘଟଣା ପୁନର୍ବାର ଘଟିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିବା ପରେ କର୍ମଚାରୀମାନେ ସେଠାରୁ ଫେରିଥିଲେ । ଏହି ଘଟଣା କେବଳ ବାଟଗୌଡସାହିରେ ନୁହେଁ । ପାରଳାଖେମୁଣ୍ଡି ସହରର ପ୍ରତ୍ୟେକ ସାହି ସାହିରେ ଏବଂ ସମଗ୍ର ଜିଲ୍ଲାରେ ଏଭଳି ଦୈରାତ୍ମ୍ୟ ଚାଲୁରହିଛି । କରୋନା ଯୋଗୁଁ ଲୋକେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ମଧ୍ୟରେ ସମସ୍ତ ପ୍ରକାର ରୋଜଗାରକୁ ହରାଇବା ସହ କରୋନା ରୋଗ ସଂକ୍ରମଣ ଭୟରେ ଘରେ କାଳାତିପାତ କରି ମାନସିକ ଚାପରେ ଥିବା ବେଳେ ଏହି ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାର ଏଭଳି ଦୈରାତ୍ମ୍ୟ ଓ ଧମକ ଲୋକଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ, ଏହି ସଂସ୍ଥା ଗୁଡିକ ହାତ ଉଦ୍ଧାରରେ କିଛି କିଛି ଟଙ୍କା ଦେଇ ଚଢା ଦରରେ ସୁଧ ଅସୁଲ କରୁଛନ୍ତି । ଯାହା ଦ୍ୱାରା ଅନେକ ଗରୀବ ତଥା ମଧ୍ୟବିତ୍ତ ପରିବାର ଏମାନଙ୍କ ଋଣ ଯନ୍ତାରେ ଫଶି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।