ବାପା-ମା’ ହେଲେ ବିରାଟ ଓ ଅନୁଷ୍କା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ରୋମାଞ୍ଚକ ଢଙ୍ଗରେ ସିଡ୍ନୀ ଟେଷ୍ଟକୁ ଡ୍ର କରିବା ପରେ ପୂରା କ୍ରିକେଟ ପ୍ରେମୀଙ୍କ ପାଖରେ ଆଉ ଗୋଟିଏ ଖୁସି ଖବର ପହଞ୍ଚିଛି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏ ସମ୍ପର୍କରେ ବିରାଟ ଟ୍ୱିଟ କରି ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ବିବାହ କରିଥିଲେ । ଆଜି ୨୦୨୧ ଜାନୁଆରୀ ୧୧ରେ ତାଙ୍କ ଘରକୁ କନ୍ୟା ସନ୍ତାନ ଆସିଛନ୍ତି । ବିରାଟ କହିଛନ୍ତି, ଆଜି ମଧ୍ୟାହ୍ନରେ ଆମ ଘରକୁ ନୂଆ ଅତିଥି ଆସିଛନ୍ତି । ସମସ୍ତଙ୍କ ଆର୍ଶୀବାଦରୁ ଆମର କନ୍ୟା ସନ୍ତାନ ହୋଇଛି । ଆପଣମାନଙ୍କ ଭଲ ପାଇବା, ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ଆମେ ଧନ୍ୟବାଦ ଜଣାଉଛୁ । ଅନୁଷ୍କା ଓ ବେବୀ ଦୁହେଁ ପୂରା ସୁସ୍ଥ ଅଛନ୍ତି । ଆମର ଆଶା ଏହି ସମୟରେ ସମସ୍ତେ ପ୍ରାଇଭେସିକୁ ଅଧିକ ଗୁରୁତ୍ୱ ଦେବେ । ୨୦୨୦ ଅଗଷ୍ଟରେ ବିରୁଷ୍କା ବାପାମା’ ହେବାକୁ ଯାଉଥିବା ଟ୍ୱିଟ ଯୋଗେ ସୂଚନା ଦେଇଥିଲେ । ଜାନୁଆରୀରେ ଘରକୁ ନୂଆ ଅତିଥି ଆସିବାକୁ ଥିବାରୁ ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳି ସ୍ୱଦେଶ ଫେରି ଆସିଥିଲେ । ଆଜି ବିରାଟ ଓ ସବୁ କ୍ରିକେଟ ଫ୍ୟାନଙ୍କ ଅପେକ୍ଷାର ଅନ୍ତ ଘଟିଛି ।