ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟ ଅଫିସର, ଚଢାଉ ବେଳେ ଲକ୍ଷାଧିକ ଟଙ୍କା ସହ ସୁନା ବିସ୍କୁଟ ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣ ଅଧିକାରୀ ଫସିଛନ୍ତି। ଯାହାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି । ସୂଚନା ମୁତାବକ ଆଜି ଭୋରରୁ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଭୁତି ଭୂଷଣ ବିନ୍ଧାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି । ସର୍କିଟ ହାଉସ ନିକଟରେ ଥିବା ବାସଭବନ ଓ ୱେସ୍କୋ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି । ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ବିଭୁତି ଶଙ୍କର ବିନ୍ଧାଣୀଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା ସହ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ । ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି । ସେହିପରି ଗତକାଲି ପ୍ୟାଲେସ ଲାଇନରେ ଥିବା ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା ।

ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଏନଏମଆର ପ୍ରଶାନ୍ତ କୁମାର ନାୟକ । ତାଙ୍କ ଘରେ ଜାରି ରହିଛି ଭିଜିଲାନ୍ସ ରେଡ୍ । ବ୍ରହ୍ମପୁର ଆସିକା ରୋଡସ୍ଥିତ ଘର, କଲେଜ, ଲୋଚାପଡା ଘର , ଦୁଇଟି ଗୋଦାମ ପରି ୫ଟି ସ୍ଥାନରେ ଏକାକାଳୀନ ଚଢାଉ ଜାରି ରହିଛି । ପ୍ରାୟ ୧୮ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆହୁରି ମଧ୍ୟ ଭିଜିଲାନ୍ସ ଜାଲରେ କଳାହାଣ୍ଡି ଧର୍ମଗଡ଼ ପୂର୍ବତନ ଇନ୍ଦ୍ରାବତୀ ପ୍ରକଳ୍ପ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡା । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ କୋଠା ଓ ତାଙ୍କ ଲଜ୍‌ରେ ଏକକାଳୀନ ଭାବରେ ଚଢାଉ ଜାରି ରହିଛି । ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ଟି ଟିମ୍ ଚଢାଉରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜପତ୍ର , ଏଟିଏମ ଜବତ ହୋଇଛି ।

ସେହିପରି ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ପୋଲିସ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ପୋଲିସ ASI ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ରବୀନ୍ଦ୍ର ସେନାପତି ବର୍ତ୍ତମାନ ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଅଛନ୍ତି । ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦେଶରେ ଭିଜିଲାନ୍ସର ୪ଟି ଟିମ ଏହି ଚଢ଼ାଉରେ ସାମିଲ ରହିଛନ୍ତି । ଏଥିରେ ପାଖପାଖି ୨୫ ଜଣ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ରହିଛନ୍ତି । ପ୍ରାୟ ୨କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ସୁନା ଗହଣା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଗଦ ଟଙ୍କା ଜବତ ହୋଇଛି । ଜଗତସିଂହପୁର ସିପି ମକୁନ୍ଦପୁରସ୍ଥିତ ଘର, ବାସସ୍ଥାନ, ଏରସମା ଗଡ଼ବିଶନପୁର ଆନନ୍ଦପୁର, ଭୁବନେଶ୍ୱରର ହଂସପାଲ, ତିର୍ତ୍ତୋଲ ସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି ।