-ସୁନ୍ଦରଗଡ଼ବାସୀଙ୍କୁ ୬ହଜାର କୋଟିର ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଯୁବକଯୁବତୀମାନଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ ।
ଏହାସହିତ ପଶ୍ଚିମ ଓଡିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକଗୁଡିଏ ବୃହତ ପ୍ରକଳ୍ପକୁ ତ୍ୱରାନ୍ୱିତ କରି ଠିକ୍ ସମୟରେ ଶେଷ କରିବା ପାଇଁ ଡବ୍ଲୁଓଡିସ ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଜୁ ଏକ୍ସପ୍ରେସ ୱେ,ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡିକ ଦ୍ୱାରା ପଶ୍ଚିମ ଓଡିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି ।
ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଯୋଗଦେଇ ପରିଷଦର କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା ରଖିଥିଲେ । ବିଗତ ଦିନମାନଙ୍କରେ ଡବ୍ଲୁଓଡିସି ପକ୍ଷରୁ ସଡକ ନିର୍ମାଣ, ଶିକ୍ଷା ଭିତ୍ତିଭୂମି ଓ ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଇଛି ।
ଆଗାମୀ ଦିନରେ ପରିପରିବା, ଡାଲିଜାତୀୟ ଫସଲ ଓ ତୈଳବିଜ, ଫୁଲଚାଷ ଆଦି ଉଦ୍ୟାନ କୃଷିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ପଶ୍ଚିମ ଓଡିଶା ଅଞ୍ଚଳରେ ବହୁତ ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଥିଲା । ପଶ୍ଚିମ ଓଡିଶା ଜିଲ୍ଲାଗୁଡିକରେ ସର୍ବାଧିକ ଅର୍ଥନୈତିକ ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୃଷ୍ଟି କରିବା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ସମ୍ବଲପୁର, ବରଗଡ ଓ ସୋନପୁରରେ ଧାନ ଓ ଧାନରୁ ଉତ୍ପାଦିତ ପଦାର୍ଥର ବିନିଯୋଗ ପାଇଁ ଭିତ୍ତିଭୂମି, ବଲାଙ୍ଗିରେ କୁକୁଡା ଓ ଅଣ୍ଡାଚାଷ ପାଇଁ ଭିତ୍ତିଭୂମି, କଳାହାଣ୍ଡିରେ ମାଛଚାଷ, ବୌଦ୍ଧ, ସୋନପୁରରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ଏବଂ ହସ୍ତତନ୍ତ କ୍ଲଷ୍ଟରର ବିକାଶ ପାଇଁ ବହୁତ ସୁଯୋଗ ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ଆର.କେ.ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆଶୋକ କୁମାର ମୀନା,ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଭି.କେ.ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।