ପ୍ରକୋପ ଦେଖାଇଲା ପଶ୍ଚିମା ଝଡ

ଭୁବନେଶ୍ୱର : ପ୍ରଭାବ ଛାଡ଼ିଲା ପଶ୍ଚିମା ଝଡ଼ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି । ଅଚାନକ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ ଓ ଆରମ୍ଭ ହୋଇଥିଲା ବର୍ଷା, ଘଡ଼ଘଡ଼ି ଓ କୁଆପଥର ମାଡ଼ । କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ଗଛ ଭାଙ୍ଗିବା ସହିତ ଉଡ଼ି ଯାଇଛି ଚାଳ ଓ ଆଜବେଷ୍ଟସ୍‌ ଘରର ଛପର । ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ବରଗଡ଼, ବଲାଙ୍ଗୀର, କୋରାପୁଟ, ନୟାଗଡ଼, ବ୍ରହ୍ମପୁର, ପୁରୀ, ଖୋର୍ଦ୍ଧା ଓ କନ୍ଧମାଳ ଆଦି କିଛି ସ୍ଥାନରେ ଝଡ଼ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାରେ ପ୍ରବଳ କୁଆପଥର ବର୍ଷା ହୋଇଛି । କୁଆପଥର ମାଡ଼ରେ ଦୁଇଜଣ ମହିଳା ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । କୁଆପଥର ରାସ୍ତାସାରା ବିଛାଇ ହୋଇ ପଡ଼ିଥିବାରୁ ଏହା କାଶ୍ମୀର ଭ୍ରମ ସୃଷ୍ଟି କରିଥିଲା । ତେବେ ବଲାଙ୍ଗୀରରେ ବର୍ଷା ସହ ପବନର ବେଗ ୫୭ କିମି ରହିଥିବା ବେଳେ ସମ୍ବଲପୁର ଚିପିଲିମାରେ ୮୦ କିମି ଓ ମୟୂରଭଞ୍ଜରେ ପବନର ବେଗ ଘଣ୍ଟା ପ୍ରତି ୮୧ କିମି ରହିଥିଲା । ଅନ୍ୟପଟେ କେତେକ ସ୍ଥାନରେ ଅପରାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।

ଅଦିନିଆ ବର୍ଷା ଓ  ବଜ୍ରପାତ କାରଣରୁ କେଣସି କ୍ଷୟକ୍ଷତି ସଂପର୍କିତ ହସ୍ତଗତ ହୋଇନାହିଁ । ବରଂ ବର୍ଷା ଯୋଗୁଁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ଣ ସମୟରେ ବଜ୍ରପାତ ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି । ମୟୂରଭଞ୍ଜର ବାରିପଦାରେ ପ୍ରବଳ ପବନ ଘଡଘଡି ସହ ମୁଷଳଧାରାରେ ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହୋଇଛି । ଜୟପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଯାଇଛି । ନବରଙ୍ଗପୁର, ଚନ୍ଦାହାଣ୍ଡି ଓ ଝରିଗାଁରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ବିଗତ ତିନି ଦିନ ହେଲା, ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଆକାଶ ମେଘୁଆ ଦେଖାଯିବା ସହିତ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିନାହିଁ । ଆଜି କିଛି ସ୍ଥାନରେ ବର୍ଷା ହୋଇଥିବାରୁ ତାପମାତ୍ରା ହ୍ରାସ ପାଇଛି । ସେପଟେ ରାଜଧାନୀ ଭୁବନେଶ୍ୱର ଏବଂ କଟକର ଆକାଶ ମେଘାଚ୍ଛନ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବାର ସମ୍ଭାବନ ଥିବା ମଧ୍ୟ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁ ଘଡଘଡି ସହ ବର୍ଷା ଜାରି ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ । ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା, କୁଆପଥର ବର୍ଷା ଏବଂ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ୧୨ ଟି ଜିଲ୍ଲାକୁ ଅରଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୁରଭଞ୍ଜଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଓ କେନ୍ଦ୍ରାପଡା ।

ଏହି ସମୟ ମଧ୍ୟରେ ପୁରୀ , ଗଂଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, ବୌଦ୍ଧ, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୯ରୁ ୨୦ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଅନୁଗୁଳ ଆଜି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ରୁ ୨୧ ତାରିଖ ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

westerly-storm-showed-anger