ଲଘୁଚାପ ପରେ କନ୍ଧମାଳକୁ ଫେରିଲା ଶୀତ : ଫୁଲବାଣୀ ୧୨, ଦାରିଙ୍ଗବାଡି ୭.୫ଡିଗ୍ରୀ ତାପମାତ୍ରା

କନ୍ଧମାଳ : ଲଘୁଚାପ ଶେଷ ହେବା ପରେ କନ୍ଧମାଳକୁ ପୁଣି ଲେଉଟିଛି ଶୀତ। ଜିଲ୍ଲାର ଦାରିଙ୍ଗବାଡି ରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକଡ କରାଯାଇଥିବା ବେଳେ ଜିଲ୍ଲା ସଦରମହକୁମା ଫୁଲବାଣୀରେ ୧୨ ଡିଗ୍ରୀ ରହିଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଲଗାତାର ଭାବରେ ଦୁଇଦୁଇ ଥର ଲଘୁଚାପ ଯୋଗୁଁ ରାଜ୍ୟ ସରକାର ସମେତ ଜିଲ୍ଲା ପ୍ରଶାସନ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାରେ ଉପକୁଳ ଅଂଚଳ ଗୁଡିକରେ ଧନଜୀବନର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଥିଲା । ହେଲେ କନ୍ଧମାଳର ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡି ନଥିଲେ ମଧ୍ୟ ସାମାନ୍ୟ ବର୍ଷା ଓ କୋହଲା ପାଗ ଅନୁଭୁତ ହୋଇଥିଲା । ହେଲେ ଲଘୁଚାପର ପ୍ରଭାବ ଶେଷ ହେବା ପରେ ହଠାତ୍ ଶୀତର ପ୍ରତ୍ଯାବର୍ତ୍ତନ ଲୋକଙ୍କ ପାଇଁ ଅସହ୍ଯ ହୋଇଛି । ଫଳରେ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ, ଘୁ.ଉଦୟଗିରି, ଫୁଲବାଣୀ, ଫିରିଙ୍ଗିଆରେ, ତୁମୁଡ଼ିବନ୍ଧ, କୋଟଗଡ ସମେତ ସମଗ୍ର ଜିଲାରେ ଭୀଷଣ ଶୀତ ଅନୁଭୁତ ହେଉଛି । ଫଳରେ ଲୋକଙ୍କର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ତେବେ ଏହି ପାଗର ଆନନ୍ଦ ପର୍ଯ୍ଯଟକ ମାନଙ୍କ ସମେତ ଯୁବ ପିଢି ନେଉଥିବା ବେଳେ ଗରିବ ଓ ବାସହୀନ ଲୋକଙ୍କ ପାଇଁ ଅସହ୍ଯ ହେଉଛି ।