ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ପାଞ୍ଚ ଗୋଟି ପଞ୍ଚାୟତ ଯଥା-ପଣଷପୁଟ, ଯୋଡ଼ାମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡି ପଞ୍ଚାୟତର ବହୁ ଗ୍ରାମରେ ବହୁଳ ପରିମାଣରେ ମହିଳା ମାନେ ହଳଦୀ ଚାଷ କରି ବାହାର ବେପାରୀଙ୍କୁ ଶାଗ ମାଛ ମୂଲ୍ୟରେ ବିକ୍ରିକରି କ୍ଷତି ସହୁଥିଲେ । ଏହା ଜାଣିବା ପରେ ମାଲକାନଗିରି ଜିଲା ପ୍ରଶାସନ ହଳଦୀ ଚାଷୀଙ୍କୁ ଗୁରୁତ୍ୱ ଦେଇ ସ୍ୱାଭିମାନ ଅଞ୍ଚଳରେ ମହିଳାଙ୍କ ବିକାଶ ପାଇଁ ଉନ୍ନତ ମାନର ହଳଦୀ ଗୁଣ୍ଡ ଉତ୍ପାଦନ କେନ୍ଦ୍ର ଖୋଲାଯିବା ନେଇ ଚିନ୍ତା କରିଥିଲେ ।
ଯେଉଁ କେନ୍ଦ୍ରରେ ମହିଳା ହଳଦୀ ଚାଷୀଙ୍କର ଉତ୍ପାଦିତ ହଳଦୀକୁ ଗୁଣ୍ଡ କରାଯାଇ ବାହାର ମାର୍କେଟ ରେ ଭଲ ଦାମରେ ବିକ୍ରି କରି ଭଲ ଦୁଇ ପଇସା ଲାଭବାନ ହେବା ଲକ୍ଷ୍ୟରେ ମାଲକାନଗିରି ଜିଲାପାଳ ୱାଇ. ବିଜୟଙ୍କ ନିର୍ଦେଶ କ୍ରମେ ଗୁରୁପ୍ରିୟା ବିଏଲଏଫ ଓ ମିଶନ ଶକ୍ତି ସହାୟତାରେ ଚିତ୍ରକୋଣ୍ଡା ସିଡିପିଓ ଗୀତାଞ୍ଜଳୀ ମହାରଣାଙ୍କ ଉଦ୍ୟମ ତଥା ଚିତ୍ରକୋଣ୍ଡା ବିଡ଼ିଓ ଟି. ପଦ୍ମନାଭ ଦୋରାଙ୍କ ସହଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତ ଗୋରାସେତୁ ଗ୍ରାମର ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଯଥା-ମା ମାଉଲି, ମା ତାରିଣୀ ଓ ମା ନିଶାନି ମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀଠାରେ ଉନ୍ନତ ମାନର ହଳଦୀ ଗୁଣ୍ଡ ଉତ୍ପାଦନ କେନ୍ଦ୍ର ଉଦଘାଟନ କରାଯାଇଛି।
ପ୍ରତି ଗୋଷ୍ଠୀକୁ ମେଟେରିଆଲ ଭାବରେ ଏକ ଗୋଟି ଉନ୍ନତ ମାନର ହଳଦୀ ଗୁଣ୍ଡ ହଲର ମେସିନ, ଏକ ଗୋଟି ଓଜନ ଯନ୍ତ୍ର ଓ ଏକ ଗୋଟି ପ୍ୟାକେଟ ଷ୍ଟିଚିଙ୍ଗ ମେସିନ ପ୍ରଦାନ କରାଯାଇଛି। ସେଇଭଳି ପଣଷପୁଟ ପଞ୍ଚାୟତ ହାଣ୍ଡିଖାଲ ଗ୍ରାମରେ ମଧ୍ୟ ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରତି ଗୋଷ୍ଠୀ ମାନଙ୍କୁ ମେଟେରିଆଲ ଭାବରେ ଏକ ଗୋଟି ଉର୍ନତ ମାନର ହଳଦୀ ଗୁଣ୍ଡ ହଲର ମେସିନ, ଏକ ଗୋଟି ଓଜନ ଯନ୍ତ୍ର ଓ ଏକ ଗୋଟି ପ୍ୟାକେଟ ଷ୍ଟିଚିଙ୍ଗ ମେସିନ ପ୍ରଦାନ କରାଯାଇଛି ।
ମହିଳା ସଶକ୍ତିକରଣ ସ୍ୱାଭିମାନ ଅଞ୍ଚଳରେ ମହିଳା ମାନଙ୍କ ବିକାଶ ଧାରାରେ ପରିବର୍ତ୍ତନ ଆଣିବା ପାଇଁ ଜିଲା ତଥା ଚିତ୍ରକୋଣ୍ଡା ବ୍ଲକ ଆଇସିଡିଏସ ଆଉ ପାଦେ ଆଗକୁ ବଢ଼ିବାରେ ସହାୟକ ହୋଇଥିବାର ଆଶା ରଖିଛନ୍ତି । ଉକ୍ତ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର କୁମାର ଭୂୟାଁ, ଆଇସିଡିଏସ ସୁପରଭାଇଜର ଚମ୍ପା ନାୟକ ଓ ବିଇଓ ଗାୟତ୍ରୀ ଦେବି ପରିଚାଳନା କରିଥିଲେ ।