ବିଶ୍ୱ ମାତୃଭାଷା ଦିବସ ପାଳିତ

ଭୁବନେଶ୍ୱର:  ୧୯୩୬ ମସିହାରେ ଓଡ଼ିଶା ପ୍ରଥମେ ଭାଷାଭିତିକ ରାଜ୍ୟ ଭାବେ ଗଠନ ହୋଇଥିଲେ ମଧ୍ୟ ବିଚ୍ଛିନ୍ନାଂଚଳ ଓ ସୀମାନ୍ତ ଅଂଚଳରେ ରହୁଥିବା ବହୁ ଓଡ଼ିଆ ନିଜ ମାତୃଭାଷାରେ ଉଚ୍ଚଶିକ୍ଷା ଲାଭ କରିବାକୁ ବଂଚିତ ହେଉଛନ୍ତି ବୋଲି ବିଶ୍ୱ ମାତୃଭାଷା ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ସରକାର ୨୦୧୧ ମସିହାରୁ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ଦେଇଥିବାବେଳେ ୫୦ ଭାଗରୁ ଅଧିକ ଓଡ଼ିଆ ବସବାସ କରୁଥିବା ଛତିଶଗଡ଼ ରାଜ୍ୟରେ ଆଜିପର୍ଯ୍ୟନ୍ତ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବେ ଗ୍ରହଣ କରାଯାଇ ନାହିଁ । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଓଡ଼ିଆମାନଙ୍କ ଅବସ୍ଥା ବହୁତ ଖରାପ । ବିଶ୍ୱ ମାତୃଭାଷା ଦିବସ ଅବସରରେ ବିଚ୍ଛିନ୍ନାଂଚଳ ଓ ସୀମାନ୍ତରେ ରହୁଥିବା ଓଡ଼ିଆମାନଙ୍କୁ ନିଜ  ମାତୃଭାଷାରେ ଶିକ୍ଷାଦାନ ପାଇଁ ସୁଯୋଗ ଦିଆଯାଉ ବୋଲି ଉକ୍ରଳ ସମ୍ମିଳନୀ ଦାବି କରିଛି । ଏହି ବୈଠକରେ ଉପଦେଷ୍ଟା ନିମାଇଁ ଚରଣ ଦାସ, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ଓ ପ୍ରତାପ କୁମାର ସ୍ୱାଇଁ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ଓ ପ୍ରସନ୍ନ କୁମାର ରଥ ଆଦି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।