– ଯୁବକ ମୃତ, ୨ ଭାଇ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ୨ ଭାଇ । ଶନିବାର ଦିନ ନୟାପଲ୍ଲୀ ଭିଆଇପି ଏରିଆରେ ଏଭଳି ଘଟଣା ଘଟିଛି । ମୃତକ ଜଣକ ହେଲେ ଜଟିଆ ଦାସ । ଅପରପକ୍ଷରେ ପୋଲିସ୍ ସାଗର ଓ ସୁଧୀର ପୃଷ୍ଟି ନାମକ ୨ ଭାଇଙ୍କୁ ଗିରଫ କରିଛି । ଉଭୟଙ୍କ ଘର ସାଲିଆ ସାହିରେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସାଗର, ସୁଧୀର ଓ ମୃତ ପିକ୍ଅପ୍ ଭ୍ୟାନ ଡ୍ରାଇଭର ଜଟିଆ ଗୋଟିଏ ଗାଡ଼ିରେ ଥିଲେ । କୌଣସି କଥାକୁ ନେଇ ଯୁକ୍ତିତର୍କ ହେବାରୁ ଅଭିଯୁକ୍ତମାନେ ଛକ ପାଖରେ ଜଟିଆଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ । ଜଟିଆଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ୨ ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ମାଡ ମାରିଥିଲେ ଏବଂ ପୋଲିସ୍କୁ ହସ୍ତାନ୍ତର କରିଥିଲେ ।ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ତେବେ ଗୁରୁତର ଜଟିଆଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଜଟିଆ, ସାଗର ଓ ସୁଧୀର ଭଡ଼ା ଗାଡ଼ି ବ୍ୟବସାୟ କରୁଥିବା ବେଳେ ଗାଡ଼ି କାରବାର ବା କିଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇିଛି । ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଖୋଳତାଡ ଆରମ୍ଭ ହୋଇଛି । ଅପରପକ୍ଷରେ ୨ ଅଭିଯୁକ୍ତଙ୍କୁ ପିଟିଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ଭିଡିଓ ଫୁଟେଜ୍ ଓ ପିସିଆର ଷ୍ଟାଫ୍ ଙ୍କ ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।