ଭୁବନେଶ୍ୱର : ରାଜଧାନୀର ଲୋହିଆ ଏକାଡେମୀରେ ସୂର୍ଯ୍ୟ ପରାଗ ପରେ ଚନ୍ଦ୍ରଗ୍ରହଣରେ ‘ପାକ ନିଷେଧ’କୁ ବିରୋଧ ସହ ସାମୂହିକ ଭୋଜନର ‘ବିରିୟାନୀ ପାର୍ଟି’ ର ଆୟୋଜନ କରିବା ହେତୁବାଦୀମାନଙ୍କୁ ମହଙ୍ଗା ପଡ଼ିଛି । ହେତୁବାଦୀ ଓ ପରମ୍ପରବାଦୀ ମୁହାଁମୁହିଁ ହୋଇଛନ୍ତି। ବଜରଙ୍ଗ ଦଳ ଏକାଡେମୀ ଭିତରକୁ ଟେକା ପଥର ଆଉ ଗୋବର ଫିଙ୍ଗିଛନ୍ତି। ଉଭୟ ଗୋଷ୍ଠୀ ଭିତରେ ପିଟାପିଟିରେ 3ଜଣ ଆହତ ହୋଇଛନ୍ତି । ଏମିତିକି ଏକାଡେମୀ ଭିତରକୁ ଫିଙ୍ଗା ଯାଇଥିବା ଏକ ଅଫୁଟା ବୋମାକୁ ପୁଲିସ ଉଦ୍ଧର କରିଛି।
ସୂଚନା ମୁତାବକ, ପୂର୍ବ ଯୋଜନା ମୁତାବକ ହେତୁବାଦୀମାନେ ଲୋହିଆ ଏକାଡେମୀରେ ଚିକେନ ବିରିୟାନୀ ପାର୍ଟି କରିବାକୁ ସକାଳୁ ଏକାଠି ହୋଇଥିଲେ । ଏକାଡେମୀ ଭିତରେ ବିରିୟାନୀ ରନ୍ଧା ଚାଲିଥିଲା । ଗଣମାଧ୍ୟମ ସାମ୍ନାରେ ହେତୁବାଦୀ ନେତାମାନେ ପାକ ନିଷେଧ କୁ କାହିଁକି ବରୋଧ କରୁଛନ୍ତି, ଏନେଇ ନିଜ ମତାମତ ଦେଉଥିଲେ। ହେତୁବାଦୀମାନଙ୍କୁ ବିରୋଧ କରୁଥିବା ପରମ୍ପରବାଦୀମାନେ ଏକାଡେମୀ ବାହାରେ ଠୁଳ ହୋଇ ହୋ ହଲା କରିଥିଲେ । ଏକାଡେମୀ ବାହାରେ ଜଗିଥିବା ପୁଲିସ ସେମାନଙ୍କୁ ଅଟକାଇଥିଲେ । ପରିସ୍ଥିତି ଏକପ୍ରକାର ନିୟନ୍ତ୍ରଣାଧୀନ ଥିଲା। ପୂର୍ବରୁ ଚେତାବନୀ ଦେଇଥିବା ବଜରଙ୍ଗ ଦଳର ଶହେରୁ ଅଧିକ କର୍ମୀ କିନ୍ତୁ ଦିନ ସାଢେ ୧୨ ଟା ବେଳେ ପହଞ୍ଚିଲେ।। ଏକାଡେମୀ ବାହାରେ ଉତ୍ତେଜନା ବଢିବାକୁ ଲାଗିଲା । ବଜରଙ୍ଗ ଦଳ କର୍ମୀମାନେ ସିଧା ସଳଖ ହେତୁବାଦୀଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ କଲେ । ଏକାଡେମୀ କ୍ୟାମ୍ପସ ଭିତରକୁ ଆରମ୍ଭ ହେଲା ଟେକା ପଥର ମାଡ଼ | କର୍ମୀମାନେ ଗୋବର ବି ଫିଙ୍ଗିଲେ । ଟେକା ମାଡ଼ରେ ଲୋହିଆ ଏକାଡେମୀର ୩ ଟି ଝରକା କାଚ ଭାଙ୍ଗିଲା । କିଛି ବଜରଙ୍ଗ ଦଳ କର୍ମୀ କ୍ୟାମ୍ପସ ଭତରକୁ ପଶି ୨ ଜଣ ହେତୁବାଦୀଙ୍କୁ ଘୋଷାଡ଼ି ଆଣି ମାଡ଼ ମାରିବାକୁ ଲାଗିଲେ । ସେପଟେ ହେତୁବାଦିମାନେ ଜଣେ ବଜରଙ୍ଗ କର୍ମୀଙ୍କୁ ଘେରିଯାଇ ନିସ୍ତୁକ ପିଟିଥିଲେ । ଏମିତି ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପୁଲିସ ଆକ୍ସନ ମୋଡ଼କୁ ଆସିଥିଲା । ହେତୁବାଦୀମାନଙ୍କୁ ଏକାଡେମୀ ଭିତରକୁ ନେଇ ବାହାରୁ ତାଲା ପକାଇଥିଲା । ଏକାଡେମୀ ବାହାରେ ହଂଗାମା କରୁଥିବା ବଜରଙ୍ଗ କର୍ମୀ ମାନଙ୍କୁ ଘଉଡ଼ାଇଥିଲା । ପୁଲିସ ହଂଗାମା କରୁଥିବା କିଛି କର୍ମୀଙ୍କୁ ଅଟକ ରଖିଛି । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ଏକାଡେମୀ ବାହାରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।