ଡୁମାଣୀ ଟିଭି ,୩୦/୩ : ଭାରତୀୟ ଜନତା ପାର୍ଟି(ବିଜେପି) ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। ସେ କହିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଉଛି। ବିଜେପି କେଜ୍ରିଓ୍ଵାଲଙ୍କୁ ହରାଇ ପାରିବ ନାହିଁ, ସେଥିପାଇଁ ତାଙ୍କୁ ହତ୍ୟା କରିବାକୁ ଚାହୁଁଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବିଜେପି ଯୁବ ମୋର୍ଚ୍ଚାର ପ୍ରଦର୍ଶନକୁ ସିସୋଦିଆ କେଜ୍ରିଓ୍ଵାଲଙ୍କ ହତ୍ୟା ଉଦ୍ୟମ ଦର୍ଶାଇଛନ୍ତି ଏବଂ ଏହାକୁ ପୂର୍ବ ଯୋଜନା ବୋଲି ସେ କହିଛନ୍ତି।
ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟ ଏବଂ ବିଜେପିର ପରାଜୟ କାରଣରୁ କେଜ୍ରିଓ୍ଵାଲଙ୍କ ହତ୍ୟା ଉଦ୍ୟମ କରାଯାଉଛି। ପୋଲିସ ଜାଣି ଶୁଣି ବିଜେପି ଗୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବାସଭବନ ନିକଟକୁ ପଠାଇଛି। ଏପରିକି ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ବ୍ୟାରିୟର ଭାଙ୍ଗି ଦେଇଛନ୍ତି।
ସିସୋଦିଆ କହିଛନ୍ତି, ପୂର୍ବ ଷଡଯନ୍ତ୍ର ଆଧାରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପରେ ଆକ୍ରମଣ କରାଯାଇଛି। ମୁଁ ବିଜେପିକୁ କହିବାକୁ ଚାହୁଁଛି ଯେ, ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ହାତ ଲଗାଇବାର ଅପଚେଷ୍ଟା କରନ୍ତୁ ନାହିଁ। ଏହି ଧରଣର ଆକ୍ରମଣ ଉଦ୍ୟମକୁ ଦେଶ ବରଦାସ୍ତ କରିବ ନାହିଁ। ଭାରତରେ ଯେମିତି ମରଣାନ୍ତ ଆକ୍ରମଣ ବଢିବାରେ ଲାଗିଛି ବୋଲି ସିସୋଦିଆ କହିଛନ୍ତି।