ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ସଂସଦ

524

ଡୁମାଣୀ ଟିଭି,୭/୪ :ଦିନକ ଆଗରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେଲା ସଂସଦ । ତେବେ କାଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଆଜି ରାଜ୍ୟସଭାରେ ଆଲୋଚିତ ହୋଇଥିଲା । ବିଜେପି ନେତା ସୁଶୀଲ ମୋଦି କହିଥିଲେ ଯେ ୩୨ ବର୍ଷ ହେଲା କାଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ମିଳିନାହିଁ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ । କେବଳ ଏତିକି ନହେଁ ବରଂ ଏସଆଇଟି ୨୦୦ରୁ ଅଧିକ ଏଫଆଇଆରର ଅନୁସନ୍ଧାନ କରିବା ଉଚିତ ଏବଂ ସିବିଆଇ ଏବଂ ଏନଆଇଏ ଭଳି ଏଜେନ୍ସି ମଧ୍ୟ ଏହି ଅନୁସନ୍ଧାନରେ ସାମିଲ ହେବା ଆବଶ୍ୟକ ବୋଲି ସୁଶୀଲ କହିଥିଲେ । ସେପଟେ ଲୋକସଭାରେ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ ଯେ ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଗ୍ୟାସର ମୂଲ୍ୟ ଯେପରି ବଢ଼ୁଛି ତାହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହା ସହ ଆଜି ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶିବସେନା ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ନାରାବାଜୀ କରିଥିଲେ। ଶିବସେନା ସାଂସଦମାନେ ବିଜେପି ନେତା କିରୀଟ ସୋମାୟାଙ୍କ ବିରୋଧରେ ୫୭ କୋଟି ଦୁର୍ନୀତି ଘଟଣାରେ ରୁଜୁ ହୋଇଥିବା ପ୍ରସଙ୍ଗ ଉଠାଇଥିଲେ।

ସେହିପରି ଟିଏମସି ସାଂସଦମାନେ ପୂରା ଅଧିବେଶନରେ ତୈଳଦର ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇ ନଥିବା କହିଥିଲେ। କଂଗ୍ରେସ ସାଂସଦମାନେ କହିଥିଲେ ଯେ ଯଦି ଦରବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ଅନୁମତି ଦିଆଯାଉନି, ତା’ହେଲେ କିରୀଟ ସୋମାୟାଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ଏହି ସବୁ ଦାବି ସପକ୍ଷରେ ବିରୋଧୀ ସ୍ୱର ଶାଣିତ କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ତୁରନ୍ତ ଗୃହ କାର‌୍ୟ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବାଚସ୍ପତି ଓମ ବିର୍ଲା ଗୃହକୁ ଆସିବା କ୍ଷଣି କଂଗ୍ରେସ ସାଂସଦଙ୍କ ପକ୍ଷରୁ ତୈଳ ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା। ତଥାପି ବାଚସ୍ପତି ଓମ ବିର୍ଲା ଚଳିତ ଅଧିବେଶନରେ ଗୃହ କାର୍ଯ୍ୟ କେମିତି ଚାଲିଥିଲା, ତା’ର ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.