ଚକ ଅଖ ଡେରା ନୀତି ସମ୍ପନ

75

ପୁରୀ, : ପରମ୍ପରା ଅନୁଯାୟୀ ପବିତ୍ର ଭଉଁରୀ ତିଥିରେ ସମ୍ପନ୍ନ ହୋଇଛି ଚକ ଅଖ ଡେରା ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ର ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଦୁଇଟି ଲେଖାଏଁ ନାହାକଚକ ଅଖରେ ସଂଯୋଗ କରାଯାଇଛି । ଚକ ଡେରା ନୀତି ପାଇଁ ସୋମବାର ମହାପ୍ରଭୁଙ୍କ ସକାଳଧୂପ ଶେଷ ହେବା ପରେ ଶ୍ରୀମନ୍ଦିର ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ବିଜେ କରାଯାଇଥିଲା । ଆଜ୍ଞାମାଳ ବିଜେ ପରେ ବଡ଼ଠାକୁରଙ୍କ ବାଡରୁ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ, ଦେବୀ ସୁଭଦ୍ରାଙ୍କ ବାଡରୁ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ ବିଶ୍ୱନାଥ ପୂଜାପଣ୍ଡା
ସାମନ୍ତ ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ଆସି ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲେ । ଆଜ୍ଞାମାଳ ଲାଗି ପାଇଁ ପୂଜାର୍ଚ୍ଚନା ଶେଷ ହେବା ପରେ ପ୍ରଥମେ ତାଳଧ୍ୱଜ ରଥର ଚକରେ ଅଖ ସଂଯୋଗ କରଯାଇଥିଲା । ପରେ ନନ୍ଦିଘୋଷ ରଥ ଚକରେ ଅଖ ସଂଯୋଗ କରାଯାଇଥିବା ବେଳେ ଶେଷରେ ଦେବୀସୁଭଦ୍ରାଙ୍କ ରଥ ଚକରେ ଅଖ ସଂଯୋଗ କରାଯାଇଥିଲା । ବିଶ୍ୱକର୍ମା ମହାରଣା ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ କାର୍ଯ୍ୟ ସମ୍ପନ୍ନ କରିଥିଲେ । ପ୍ରତ୍ୟେକ ରଥର ୨ଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ନୀତି ସମ୍ପାଦନ ସମୟରେ ଉପସ୍ଥିତିଥିଲେ । ଏହି ଅବସରରେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣ ଓ ଭକ୍ତଙ୍କ ଗହଣରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଶୃଙ୍ଖଳିତ ଭାବେ ସମ୍ପାଦନ ହେବା ପାଇଁ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଚକ ଅଖ ଡେରା ନୀତି ସମ୍ପାଦନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.