ଭୁପୃଷ୍ଠକୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା

64

ନୂଆଦିଲ୍ଲୀ, : ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ସ୍ପେସଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟରେ ଅନଡକିଂ କରି ପୃଥିବୀକୁ ଫେରିବା ପାଇଁ ୨୧ ଘଣ୍ଟିଆ ଯାତ୍ରା ଆରମ୍ଭ କରିଛନ୍ତି । ସୋମବାର ଅପରାହ୍ନ ୪ଟା ୩୫ ମିନିଟ ସମୟରେ (ଭାରତୀୟ ସମୟ) ଏହି ଅନଡକିଂ ସଫଳତାର ସହ ସମ୍ପନ୍ନ ହୋଇଛି । ଆକ୍ସିଅମ-୪ (ଏକ୍ସ-୪) ମିଶନରେ ପାଇଲଟ ଭାବେ ଦାୟିତ୍ୱ ତୁଲାଇଥିବା ଶୁଭାଂଶୁ ଓ ତାଙ୍କ ସାଥୀ ମହାକାଶଚାରୀ ଆସନ୍ତା ଜୁଲାଇ ୧୫ ତାରିଖରେ ପ୍ରାୟ ଅପରାହ୍ନ ୩ଟା ସମୟରେ ପ୍ରଶାନ୍ତ ମହାସାଗରରେ ଥିବା କାଲିଫୋର୍ନିଆ ଉପକୂଳରେ ଅବତରଣ କରିବେ । ଏହି ୧୮
ଦିନିଆ ଏକ୍ସ-୪ ମିଶନରେ ଶୁଭାଂଶୁ ଓ ତାଙ୍କ ଦଳ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିଛନ୍ତି । ଯେଉଁଥିରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ୭ଟି ପରୀକ୍ଷଣ ସାମିଲ ରହିଛି । ଏହି ପରୀକ୍ଷଣଗୁଡ଼ିକ ମାଇକ୍ରୋଗ୍ରାଭିଟିରେ ମାଇକ୍ରୋଆଲଗି, ମାଂସପେଶୀ କ୍ଷୟ ଓ ଉଦ୍ଭିଦ ବୃଦ୍ଧି ଉପରେ କେନ୍ଦ୍ରିତ ଥିଲା । ଏହି ମିଶନ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି । ଯାହା ଆଗାମୀ ଗଗନଯାନ ମିଶନ ପାଇଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ । ଅନଡକିଂ ପୂର୍ବରୁ ଇଏସଏସରେ ଆୟୋଜିତ ବିଦାୟ ସମାରୋହରେ ଶୁଭାଂଶୁ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ପ୍ରସିଦ୍ଧ ବାଣୀ ସାରେ ଜହାଁ ସେ ଅଚ୍ଛାକୁ ସ୍ମରଣ କରିଥିଲେ । ସେ କହିଥିଲେ ଆଜିର ଭାରତ ମହାକାଶରୁ ଉଚ୍ଚାକାଂକ୍ଷୀ, ନିର୍ଭୀକ, ଆତ୍ମବିଶ୍ୱାସୀ ଓ ଗର୍ବିତ ଦେଖାଯାଉଛି । ତାଙ୍କର ଏହି ଖତା ଭାରତୀୟଙ୍କ ମନରେ ଗର୍ବ ଓ ପ୍ରେରଣା ସୃଷ୍ଟି କରିଛି । ଅବତରଣ ପରେ ଶୁଭାଂଶୁ ଓ ତାଙ୍କ ଦଳ ଏକ ସପ୍ତାହ ଧରି ଏକାନ୍ତବାସରେ ରହିବେ । ଯେଉଁଥିରେ ମାଇକ୍ରୋଗ୍ରାଭିଟି ଯୋଗୁଁ ହେଉଥିବା ମାଂସପେଶୀ ଦୁର୍ବଳତା, ହାଡ଼ ଘନତ୍ୱ ହ୍ରାସ ଓ ସନ୍ତୁଳନ ସମସ୍ୟା ଆଦିର ସମାଧାନ କରାଯିବ । ତେବେ ଏହି ମିଶନ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଉଚ୍ଚତା ଦେଇଛି ।

Leave A Reply

Your email address will not be published.