ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

156

ପୁରୀ, ୧୬ ଡ଼ିସେମ୍ବର – ଏକ ରାସ୍ତା ଦୁର୍ଘଟଣାରେ ଅବକାରୀ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ପର୍ଶୁରାମ ମହାନ୍ତିଙ୍କ ବିଧବା ପତ୍ନୀ ସନ୍ଜୁକ୍ତା ମହାନ୍ତିଙ୍କୁ ୨୧ ଲକ୍ଷ ୯୮ ହଜାର ୨୦ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଆଜି ନିଜ କାର୍ଯ୍ୟାଳୟରେ ଏହି ସହାୟତା ଅର୍ଥ ଶ୍ରୀମତୀ ମହାନ୍ତିଙ୍କୁ ତାଙ୍କ ପୁତ୍ରଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ। ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ପର୍ଶୁରାମଙ୍କର ତା ୧୧.୪.୨୦୦୪ ରେ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କୀତ ମାମଲାକୁ ବିଚାର କରି ବିଚାରାଳୟ ୨୦.୭.୨୦୧୨ ରେ କ୍ଷତିଗ୍ରସ୍ତଙ୍କ ନିକଟ ସମ୍ପର୍କୀୟଙ୍କୁ ୯ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏ ସମ୍ପର୍କରେ ଆଇନ ପ୍ରକ୍ରିୟା ଚାଲିବା ପରେ ନ୍ୟାୟାଳୟଙ୍କ ଚୂଡାନ୍ତ ବିଚାର ଆଧାରରେ ଆଜି ପୂର୍ବ କ୍ଷତିପୂରଣ ଉପରେ ଶତକଡା ୭ ହାର ସୁଧରେ ମୋଟ ୨୧ ଲକ୍ଷ ୯୮ ହଜାର ୨୦ ଟଙ୍କା ଶ୍ରୀମତୀ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ଏହା ଏକ ବହୁ ପୁରୁଣା ମାମଲା ଥିଲା। ଜିଲ୍ଲାପାଳ ଶ୍ରୀ ବର୍ମା ବ୍ୟକ୍ତିଗତ ଭାବେ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରି ଏହାର କ୍ଷତିପୂରଣ ରାଶି ଯେପରି ଶିଘ୍ର ପ୍ରଦାନ କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ନେଇଥିଲେ। ଜିଲ୍ଲାପାଳଙ୍କ ଉଦ୍ୟମ ଓ ପ୍ରଶାସନ ସହଯୋଗରେ ଏହି ଅର୍ଥ ପାଇଥିବାରୁ ଶ୍ରୀମତୀ ମହାନ୍ତି ଖୁସିବ୍ୟକ୍ତ କରିବା ସହ ବିଚାରାଳୟ, ଜିଲ୍ଲାପାଳ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.