ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ
ନୂଆଦିଲ୍ଲୀ, : ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ହିମାଚଳ ପ୍ରଦେଶର ଅବସ୍ଥା ବେହାଲ । ବାଦଲଫଟା ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ସହିତ ସଂଘର୍ଷ କରୁଥିବା ହିମାଚଳ ପ୍ରଦେଶରେ ୬୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତା\’ସହିତ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ହେଲେ ଏତିକିରେ ଶେଷ ହୋଇନି ବିପତ୍ତି । କାରଣ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲା ପାଇଁ ଜାରି ହୋଇଛି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଡିସି ରାଣା କହିଛନ୍ତି, ଆମ ପାଖକୁ ଆସିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । କିନ୍ତୁ ବାସ୍ତବ କ୍ଷୟକ୍ଷତି ଢେର ଅଧିକ । ବର୍ତ୍ତମାନ ଆମେ ନିଖୋଜ ଲୋକଙ୍କୁ ଉଦ୍ଧାର, ଥଇଥାନ ଓ ପୁନଃନିର୍ମାଣ ଉପରେ ଗୁରୁତ୍ୱ ଦେଉଛୁ । ବାସ୍ତବ କ୍ଷୟକ୍ଷତି ବିଷୟରେ ଜାଣିବା ପାଇଁ ସମୟ ଲାଗିବ । ହିମାଚଳ ପ୍ରଦେଶକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେବଳ ହିମାଚଳ ପ୍ରଦେଶ ନୁହେଁ, ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଗତ ଜୁନ ୨୦ ତାରିଖରେ ହିମାଚଳ ପ୍ରଦେଶରେ ପ୍ରବେଶ କରିଥିଲା ମୌସୁମୀ ବାୟୁ । ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ତାଣ୍ଡବ ରଚିଛି । କେବଳ ମଣ୍ଡି ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ାରେ ୧୩, ଚମ୍ବାରେ ୬ ଓ ଶିମଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମଣ୍ଡିର ଥୁନାଗ ଓ ବାଗସୟେଦ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ଧରମପୁର ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଲୋକଙ୍କ ପତ୍ତା ମିଳୁନାହିଁ । କେବଳ ମଣ୍ଡିରୁ ୪୦ ଜଣ ଲୋକ ନିଖୋଜ ଅଛନ୍ତି । ବିଳାସପୁର, ହମୀରପୁର, କିନ୍ନାଉର, କୁଲ୍ଲୁ, ଲାହୌଲ ସ୍ପୀତି, ସିରମୌର, ସୋଲନ ଓ ଉନା ଜିଲ୍ଲାରେ ମଧ୍ୟ ଜୀବନହାନି ଘଟିଛି । ବର୍ଷା ବିତ୍ପାତ ଯୋଗୁ ରାଜ୍ୟରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ୧୪ଟି ବ୍ରିଜ୍ ଭାସିଯାଇଛି । ୩୦୦ ଗୃହପାଳିତ ପ୍ରାଣୀଧନ ମରିଛନ୍ତି । ସେମାନଙ୍କ ମଧ୍ୟରେ କେବଳ ୧୬୪ଟି ଗାଈଗୋରୁ ଅଛନ୍ତି । ପୂରା ରାଜ୍ୟରେ ୫୦୦ଟି ରାସ୍ତା ବନ୍ଦ ହୋଇଯାଇଛି । ୫୦୦ରୁ ଅଧିକ ଟ୍ରାନ୍ସଫରମର ଅଚଳ ହୋଇଯାଇଛି । ଫଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ସେବା ବ୍ୟାହାତ ହୋଇଥିବା ଯୋଗୁ ହଜାର ହଜାର ଲୋକ ଅନ୍ଧାରରେ ରହୁଛନ୍ତି । ସେହିଭଳି ବିଦ୍ୟୁତ ଯୋଗାଣ ବନ୍ଦ ରହିଥିବାରୁ ଜଳ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ନଦୀଗୁଡ଼ିକ ଭୟଙ୍କର ଦେଖାଯାଉଛନ୍ତି । ପ୍ରବଳ ବର୍ଷା ଯୋଗୁ ନଦୀଗୁଡ଼ିକରେ ଆସୁଥିବା ଆକସ୍ମିକ ବନ୍ୟାରେ ଗୋଟିଏ ଗୋଟିଏ ସ୍ଥାନରେ ପୂରା ଗାଁ ଭାସି ଯାଉଛି । ଘରଗୁଡ଼ିକର ଚିହ୍ନବର୍ଣ୍ଣ ରହୁନାହିଁ । ଉଭୟ ଗାଁ ଓ ସହରଗୁଡ଼ିକ ସମାନ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ଭୂସ୍ଖଳନର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ।