ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ ଭାରତର ଉଜ୍ଜ୍ୱଳ ନକ୍ଷତ୍ର : ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଥିଲେ ଯେ, ଜୁନ୍ ୨୦ ତାରିଖ ହେଉଛି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜିର ଦିନରେ ଓଡ଼ିଶାର ପ୍ରଥମ ବିଜେପି ସରକାରଙ୍କର ଗୋଟିଏ ବର୍ଷ ପୂରଣ ହେଉଛି । ଏହି ବାର୍ଷିକୀ ପାଳନ କେବଳ ଏକ ସରକାରଙ୍କର ନୁହେଁ, ବରଂ ଜନସେବା ଏବଂ ଜନ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ସୁଶାସନ ପ୍ରତିଷ୍ଠାର ବାର୍ତ୍ତା ଦେଉଛି । ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ଆଶା ପୂରଣ କରିବା ପାଇଁ ଆନ୍ତରିକ ପ୍ରୟାସ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦି ଓଡ଼ିଶାବାସୀଙ୍କର ସମର୍ଥନ ଏବଂ ବିଶ୍ୱାସକୁ ସ୍ୱୀକାର କରି ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଯୋଗୀ ଦଳକୁ ସେମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏମାନଙ୍କର ପ୍ରୟାସ ଓଡ଼ିଶାର ବିକାଶକୁ ନୂତନ ଗତି ଦେଇଛି । ଶ୍ରୀ ମୋଦି କହିଥିଲେ, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ, ବରଂ ଭାରତର ସମୃଦ୍ଧ ଐତିହ୍ୟର ଏକ ଉଜ୍ଜ୍ୱଳ ନକ୍ଷତ୍ର । ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ସମୃଦ୍ଧ କରିଆସିଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ସମୟରେ, ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ମୂଳଦୁଆ ପାଲଟିଛି, ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶା ଏହାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ବିକାଶର ମନ୍ତ୍ରକୁ ଆନ୍ତରିକତାର ସହିତ ଗ୍ରହଣ କରିଛି । ରାଜ୍ୟ ଏହି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି ବୋଲି ସେ ଜୋର୍ ଦେଇ କହିଥିଲେ । ଓଡ଼ିଶାରେ ତାଙ୍କ ସରକାରର ପ୍ରଥମ ବର୍ଷ ପୂରଣ ହେବା ସହିତ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ନିୟୋଜିତ ହେବା ଏକ ପବିତ୍ର ସଂଯୋଗ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଥିଲେ । ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥ ଏକ ବିଶାଳ ପ୍ରେରଣାର ଉତ୍ସ । ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀମନ୍ଦିର ସହ ଜଡିତ ସମସ୍ୟାର ମଧ୍ୟ ସମାଧାନ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ । କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ମୋହନ ମାଝୀ ଏବଂ ତାଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ସରକାର ଗଠନ ହେବା ପରେ ତୁରନ୍ତ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଥିଲା । ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଛି । ଏହା ରାଜନୈତିକ ବିଜୟର ବିଷୟ ନୁହେଁ ବରଂ କୋଟି କୋଟି ଭକ୍ତଙ୍କ ଆସ୍ଥାକୁ ସ୍ୱୀକାର କରିବାର ଏକ ସମ୍ମାନଜନକ କାର୍ଯ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ । ଶ୍ରୀ ମୋଦି ଆହୁରି କହିଥିଲେ ଯେ, କାନାଡାରେ ଜି-୭ ଶିଖର ସମ୍ମିଳନୀ ସମାପ୍ତ ହେବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ନିମନ୍ତ୍ରଣକୁ ସେ ବିନମ୍ରତାର ସହିତ ଅସ୍ୱୀକାର କରିଥିଲେ, କାରଣ ସେ ଆଜି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟିକୁ ଆସିବା ଲାଗି ଯୋଜନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଦେଶର ଲୋକମାନେ ପୂର୍ବ ଶାସନ ମଡେଲ ଦେଖିଥିଲେ, ଯେଉଁଥିରେ ସୁଶାସନର ଅଭାବ ଥିଲା ଏବଂ ଏହା ଲୋକଙ୍କ ଜୀବନକୁ ସହଜ କରି ପାରିନଥିଲା । ବିକାଶ ପ୍ରକଳ୍ପଗୁଡ଼ିକୁ ବିଳମ୍ବ କରିବା, ବାଧା ସୃଷ୍ଟି କରିବା ଓ ଦିଗହରା କରିବା ଏବଂ ବ୍ୟାପକ ଦୁର୍ନୀତି ପାଇଁ ପୂର୍ବ ଶାସନ ମଡେଲକୁ ଶ୍ରୀ ମୋଦି ସମାଲୋଚନା କରିଥିଲେ । ସେ କହିଥିଲେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆମ ବିକାଶ ମଡେଲକୁ ଦେଶ ବ୍ୟାପକ ଭାବରେ ଅନୁଭବ କରିଛି । ଗତ ଦଶନ୍ଧିରେ, ଅନେକ ରାଜ୍ୟ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନର ସାକ୍ଷୀ ହୋଇଛନ୍ତି । ଏହି ରାଜ୍ୟଗୁଡ଼ିକ କେବଳ ସରକାରରେ ପରିବର୍ତ୍ତନ ଦେଖି ନାହାଁନ୍ତି, ବରଂ ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନର ଏକ ନୂତନ ଯୁଗରେ ପ୍ରବେଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ । ପୂର୍ବ ଭାରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏକ ଦଶନ୍ଧି ପୂର୍ବରୁ, ଆସାମ ଅସ୍ଥିରତା, ବିଚ୍ଛିନ୍ନତାବାଦ ଏବଂ ହିଂସାରେ ଜର୍ଜରିତ ଥିଲା । ଆଜି, ଆସାମ ଏକ ନୂତନ ବିକାଶ ପଥରେ ଅଗ୍ରଗତି କରୁଛି । ଶ୍ରୀ ମୋଦି ଆହୁରି କହିଥିଲେ, ଅନେକ ଦଶନ୍ଧି ଧରି ଚାଲିଥିବା ବିଦ୍ରୋହୀ କାର୍ଯ୍ୟକଳାପ ଏବେ ବନ୍ଦ ହୋଇଯାଇଛି । ଆସାମ ଏବେ ଅନେକ ମାପଦଣ୍ଡରେ ଦେଶର ଅନେକ ରାଜ୍ୟକୁ ପଛରେ ପକାଇ ଦେଇଛି । ତ୍ରିପୁରା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଦଶନ୍ଧି ଦଶନ୍ଧି ଧରି ବାମପନ୍ଥୀ ଶାସନ ପରେ, ଲୋକମାନେ ତାଙ୍କ ଦଳକୁ ସୁଯୋଗ ଦେଇଥିଲେ । ପୂର୍ବରୁ ତ୍ରିପୁରା ପ୍ରତ୍ୟେକ ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିଲା । ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିଲା ଏବଂ ସରକାରୀ ବ୍ୟବସ୍ଥା ଜନସାଧାରଣଙ୍କ ସମସ୍ୟା ସମାଧାନ ପ୍ରତି ପ୍ରତିକ୍ରିୟାଶୀଳ ନଥିଲା । ହିଂସା ଏବଂ ଦୁର୍ନୀତି ଦ୍ୱାରା ଲୋକମାନେ ଅସୁବିଧାରେ ପଡ଼ିଥିଲେ । ହେଲେ ଆଜି ତ୍ରିପୁରା ଶାନ୍ତି ଏବଂ ପ୍ରଗତିରେ ଏକ ପ୍ରତୀକ ଭାବରେ ଉଭା ହେଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଅନେକ ଦଶନ୍ଧି ଧରି ଓଡ଼ିଶା ମଧ୍ୟ ଅନେକ ଆହ୍ୱାନକୁ ନେଇ ସଂଘର୍ଷ କରିଆସୁଥିଲା । ଗରିବ କିମ୍ବା ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇନଥିଲେ । ଦୁର୍ନୀତି ଏବଂ ଲାଲଫିତା ରାଜ୍ ପ୍ରାଧାନ୍ୟ ବିସ୍ତାର କରିଥିଲା । ରାଜ୍ୟସାରା ଭିତ୍ତିଭୂମି ଏକ ଭୟଙ୍କର ସ୍ଥିତିରେ ଥିଲା । ବିକାଶ ପ୍ରକ୍ରିୟାରେ ଓଡ଼ିଶାର ଅନେକ ଅଞ୍ଚଳ କ୍ରମଶଃ ପଛରେ ପଡ଼ିଯାଉଥିଲା । ଏପରି ଆହ୍ୱାନପୂର୍ଣ୍ଣ ସ୍ଥିତି ଓଡ଼ିଶାର ଦୁର୍ଭାଗ୍ୟଜନକ ବାସ୍ତବତା ପାଲଟିଥିଲା । ଗତ ଏକ ବର୍ଷ ଧରି ସେମାନଙ୍କ ସରକାର ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୂର୍ଣ୍ଣ ସଂକଳ୍ପ ସହିତ କାର୍ଯ୍ୟ କରିଛି ବୋଲି ସେ ଦୃତାର ସହିତ କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ମଡେଲର ମିଶ୍ରଣ, ଦୃଶ୍ୟମାନ ଫଳାଫଳ ଦେଖାଇବା ଆରମ୍ଭ କରିଛି । ଆଜି ଉଦଘାଟିତ ଏବଂ ଆରମ୍ଭ ହୋଇଥିବା ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆଭିମୁଖ୍ୟର ମିଶ୍ର ପ୍ରଭାବକୁ ପ୍ରତିଫଳିତ କରେ । ସେ କହିଥିଲେ ଯେ ଏହି ମଡେଲ ଓଡ଼ିଶାବାସୀଙ୍କ ପାଇଁ ଦୁଇଗୁଣ ଲାଭ ଆଣିଛି । ଏକ ଉଦାହରଣ ଦେଇ ଶ୍ରୀ ମୋଦି ମନେ ପକାଇ ଦେଇଥିଲେ ଯେ ଦୀର୍ଘ ସମୟ ଧରି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଭାରତ ଯୋଜନାର ପରିସର ବାହାରେ ରହିଥିଲେ । ଆଜି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଉଭୟ ଏକତ୍ର ରାଜ୍ୟରେ ଲାଗୁ ହୋଇଛି । ଏହା ଦ୍ୱାରା ଓଡ଼ିଶାର ପ୍ରାୟ ୩ କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁନିଶ୍ଚିତ ହୋଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ସୁବିଧା କେବଳ ଓଡ଼ିଶାର ଡାକ୍ତରଖାନାରେ ନୁହେଁ ବରଂ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ । ଏହି ଯୋଜନାରେ ଏପର୍ଯ୍ୟନ୍ତ ଓଡ଼ିଶାର ୨ ଲକ୍ଷ ଲୋକ ମାଗଣା ଚିକିତ୍ସା ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଲୋକ ୧୨ରୁ ଅଧିକ ରାଜ୍ୟରେ ମାଗଣା ଚିକିତ୍ସା ପାଇଛନ୍ତି । ଏପରି ଚିକିତ୍ସା ସୁବିଧା ମାତ୍ର ଗୋଟିଏ ବର୍ଷ ପୂର୍ବରୁ ଅକଳ୍ପନୀୟ ଥିଲା । ଶ୍ରୀ ମୋଦି କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଡେଲର ଏହି ମିଶ୍ରଣ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଆହୁରି ମୂଲ୍ୟ ଆଣିଛି । ଓଡ଼ିଶାରେ ୭୦ ବର୍ଷରୁ ଅଧିକ ବୟସର ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ବର୍ତ୍ତମାନ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଯୋଗ୍ୟ ହୋଇଛନ୍ତି । ଏହା ସାଧାରଣ ପରିବାର ଉପରେ ସ୍ୱାସ୍ଥ୍ୟସେବା ବୋଝକୁ ବହୁ ପରିମାଣରେ ହ୍ରାସ କରିଛି । ସେହିପରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓଡ଼ିଶାର ଚାଷୀମାନେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇ ନଥିଲେ । ବର୍ତ୍ତମାନ, ଚାଷୀମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାରୁ ଦ୍ୱିଗୁଣିତ ଲାଭ ପାଉଛନ୍ତି । ସରକାର ଧାନ ପାଇଁ ଅଧିକ କ୍ରୟ ମୂଲ୍ୟ ପ୍ରତିଶ୍ରୁତି ଦେଇଥିଲେ, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଧାନ ଚାଷୀଙ୍କୁ ଲାଭ ଦେଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଥିଲା ଯାହାର ଓଡ଼ିଶା ସମ୍ପୂର୍ଣ୍ଣ ଲାଭ ପାଇପାରିନଥିଲା । ଆଜି ଲୋକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଭୟ ଯୋଜନାର ଲାଭ ପାଉଛନ୍ତି । ସେ ଆହୁରି କହିଛନ୍ତି ଯେ ମହିଳା, ଚାଷୀ ଏବଂ ଯୁବକମାନଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ଗ୍ୟାରେଣ୍ଟି ଦ୍ରୁତ ଗତିରେ କାର୍ଯ୍ୟକାରୀ ହୋଇଛି । ଶ୍ରୀ ମୋଦି ଉଲ୍ଲେଖ କରିଥିଲେ ଯେ, ସରକାରଙ୍କ ଏକ ପ୍ରମୁଖ ସଫଳତା ହେଉଛି ଅବହେଳିତ ବର୍ଗର ସଶକ୍ତିକରଣ । ଓଡ଼ିଶାରେ ବହୁସଂଖ୍ୟାରେ ଆଦିବାସୀ ଲୋକ ବସବାସ କରନ୍ତି । ଅତୀତରେ, ଆଦିବାସୀ ସମ୍ପ୍ରଦାୟ ପଛୁଆ, ଦରିଦ୍ର ଏବଂ ବଞ୍ଚିତ ହୋଇ ନିୟମିତ ଅବହେଳାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ସମୟ ଧରି ଦେଶକୁ ଶାସନ କରୁଥିବା ଦଳ ରାଜନୈତିକ ଲାଭ ପାଇଁ ଆଦିବାସୀ ଜନସଂଖ୍ୟାକୁ ଶୋଷଣ କରିଥିଲା । କାରଣ ଏହି ଦଳ ବିକାଶ ପ୍ରଦାନ କରିନଥିଲା କିମ୍ବା ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣକୁ ସୁନିଶ୍ଚିତ କରିନଥିଲା । ସେମାନେ ଦେଶର ବିସ୍ତୃତ ଅଞ୍ଚଳକୁ ନକ୍ସଲବାଦ, ହିଂସା ଏବଂ ଅତ୍ୟାଚାରର ନିଆଁରେ ଠେଲି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦି କହିଥିଲେ ଯେ ୨୦୧୪ ପୂର୍ବରୁ, ଦେଶର ୧୨୫ରୁ ଅଧିକ ଆଦିବାସୀ ବହୁଳ ଜିଲ୍ଲା ନକ୍ସଲ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲା । ଏହି ଆଦିବାସୀ ଅଞ୍ଚଳଗୁଡ଼ିକୁ ଅନୁଚିତ ଭାବରେ \”ଲାଲ କରିଡର\’ ନାମରେ କଳଙ୍କିତ କରାଯାଇଥିଲା । ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ପଛୁଆ ଘୋଷଣା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୂର୍ବ ଶାସନ ଦ୍ୱାରା ପରିତ୍ୟକ୍ତ କରାଯାଇଥିଲା । ସାମ୍ପ୍ରତିକ ବର୍ଷଗୁଡ଼ିକରେ, ତାଙ୍କ ସରକାର ଆଦିବାସୀ ସମାଜକୁ ହିଂସାର ପରିବେଶରୁ ବାହାର କରି ବିକାଶର ଏକ ନୂତନ ମାର୍ଗକୁ ଆଣିବା ପାଇଁ କାର୍ଯ୍ୟ କରିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ତାଙ୍କ ସରକାର ହିଂସା ପ୍ରସାରଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଦିବାସୀ ଅଞ୍ଚଳରେ ବିକାଶର ଏକ ନୂତନ ଧାରା ଆରମ୍ଭ ହୋଇଛି, ଫଳସ୍ୱରୂପ, ନକ୍ସଲ ହିଂସାର ପ୍ରଭାବ ଏବେ ଦେଶର ୨୦ରୁ କମ୍ ଜିଲ୍ଲାକୁ ହ୍ରାସ ପାଇଛି । ବର୍ତ୍ତମାନ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନର ଗତି ସହିତ, ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ଶୀଘ୍ର ହିଂସାର ଛାୟାରୁ ମୁକ୍ତ ହେବେ, ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଶ୍ରୀ ମୋଦି ବିଶ୍ୱାସ ପ୍ରକାଶ କରିଥିଲେ । ଆଦିବାସୀ ସମ୍ପ୍ରଦାୟର ସ୍ୱପ୍ନ ପୂରଣ କରିବା, ସେମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନର ଅସୁବିଧା ହ୍ରାସ କରିବା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ମୋଦି କହିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ପ୍ରଥମ ଥର ପାଇଁ ଆଦିବାସୀ ବିକାଶ ପାଇଁ ବିଶେଷ ଭାବରେ ଦୁଇଟି ପ୍ରମୁଖ ଜାତୀୟ ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଦୁଇଟି ପଦକ୍ଷେପ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି । ପ୍ରଥମ ଯୋଜନାକୁ ଧରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ବୋଲି ସେ ସୂଚନା ଦେଇଥିଲେ । ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ ୬୦ ହଜାରରୁ ଅଧିକ ଆଦିବାସୀ ଗ୍ରାମରେ ବିକାଶ କାର୍ଯ୍ୟ
କରାଯାଉଛି । ସେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାରେ ମଧ୍ୟ ଆଦିବାସୀ ପରିବାର ପାଇଁ ଘର ନିର୍ମାଣ କରାଯାଉଛି, ରାସ୍ତା ନିର୍ମାଣ କରାଯାଉଛି, ଏବଂ ବିଦ୍ୟୁତ ଏବଂ ପାଣି ସୁବିଧା ପ୍ରତିଷ୍ଠା କରାଯାଉଛି । ଶ୍ରୀ ମୋଦି ସୂଚନା ଦେଇଥିଲେ ଯେ ଓଡ଼ିଶାର ୧୧ଟି ଜିଲ୍ଲାରେ ୪୦ଟି ଆବାସିକ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉଛି । ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ସରକାର ଏହି ପଦକ୍ଷେପଗୁଡ଼ିକରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।