ଜଳୁଛି ପାକିସ୍ଥାନ ଅସ୍ତ୍ରାଗାର

ଡୁମାଣୀ ଟିଭି,୨୦/୩ : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସିୟାଲକୋଟ୍ ସହରରେ ପାକିସ୍ତାନୀ ସେନାର ଅସ୍ତ୍ରଶସ୍ତ୍ର ଗୋଦାମରେ ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ସୈନ୍ୟ ବାହିନୀର ବିଶ୍ରାମସ୍ଥଳୀ ଭିତରେ ଭୀଷଣ ନିଆଁ ଲାଗିଯାଇଛି। ବିସ୍ଫୋରଣର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ବିସ୍ଫୋରଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାରି ଆଡ଼ୁ ନିଆଁ ବର୍ଷା ହେଉଥିବା ଦେଖାଯାଇଛି। ଏଣୁ ଲୋକମାନେ ଭୟଭୀତ ଅଛନ୍ତି। ତେବେ ପାକିସ୍ତାନର ସେନା ପକ୍ଷରୁ ଏନେଇ ଏବେ ଯାଏଁ କୌଣସି ବୟାନ ଜାରି କରାଯାଇନାହିଁ।
ସୂଚନା ଅନୁସାରେ,ପାକ୍ର ଏହି ବିସ୍ଫୋରଣ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ ଏହି ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳରେ ବି ଭୀଷଣ ନିଆଁ ଲାଗିଯାଇଛି।
ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ ଟ୍ଵିଟ୍ କରି କହିଛନ୍ତି, ସିୟାଲ କୋଟ୍ର ସୈନ୍ୟବାହିନୀଙ୍କ ଆଡ୍ଡାରେ ଏକାଧିକ ଥର ବିସ୍ଫୋରଣ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ସ୍ଥାନରେ ଅସ୍ତ୍ରଶସ୍ତ୍ର ରଖାଯାଏ। ନିଆଁ ଲାଗିବା ଫଳରେ ଚାରିଆଡ଼େ ଧୂଆଁମୟ ହୋଇଯାଇଛି। କିନ୍ତୁ ନିଆଁ ଲାଗିବାର କାରଣ ସମ୍ପର୍କରେ ଏବେ ଯାଏଁ କୌଣସି ସୂଚନା ମିଳିପାରିନାହିଁ।