ନୂଆଦିଲ୍ଲୀ, : ୨୨ ସେପ୍େଟମ୍ବର ୨୦୨୫ ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ । କାରଣ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସାରା ଦେଶରେ ନବରାତ୍ରୀର ପ୍ରଥମ ପୂଜା ଆରମ୍ଭ ହେବା ସହିତ ମୋଦୀ ସରକାର ଜିଏସଟି ୨.୦ ଲାଗୁ କରିଛନ୍ତି; ଏହା ଦେଶବାସୀଙ୍କ ପାଇଁ ପ୍ରକୃତ ଦୀପାବଳି ଉପହାର ସାବ୍ୟସ୍ତ ହୋଇଛି । ନବରାତ୍ରୀର ପ୍ରଥମ ଦିନରେ ଏହି ସମୟୋଚିତ ଟିକସ ସଂସ୍କାର ସାଧାରଣ ଲୋକଙ୍କୁ ଏକସଙ୍ଗେ ଦରହ୍ରାସ, ସରଳ ଟିକସ ବ୍ୟବସ୍ଥା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ତ୍ୱରିତ ଆଶ୍ୱସ୍ତି ପ୍ରଦାନ କରିଛି । ଏହା ସେମାନଙ୍କ ଖୁସିକୁ ବହୁଗୁଣିତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଜିଏସଟି ୨.୦ କୁ ‘‘ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଏକ ସଂସ୍କାର’’ ବୋଲି କହିଥିଲେ । ତାଙ୍କ କଥାରେ ସତ୍ୟତା ରହିଛି । ଏହା କେବଳ ଏକ ଫମ୍ପା ନୀତିଗତ ପରିବର୍ତ୍ତନ ନୁହେଁ ବରଂ ଏକ ଉତ୍ସବମୁଖୀ ଆନନ୍ଦ ପରି ଅନୁଭବ ହୋଇଛି । ବଜାରକୁ ଅବଲୋକନ କଲେ କାର ଶୋ’ରୁମଗୁଡ଼ିକରେ ଗ୍ରାହକଙ୍କର ଧାଡ଼ି ଲମ୍ବିଛି । ଅନଲାଇନ୍ କାର୍ଟଗୁଡ଼ିକର ଅର୍ଡର ଅଭୂତପୂର୍ବ ଭାବେ ବୃଦ୍ଧି ପାଇଛି । ପ୍ରଥମ ଦିନରେ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିବାର ସଂକେତ ଦେଇଛି । ଐତିହାସିକ ସଂଖ୍ୟା ସହିତ ଅଟୋମୋବାଇଲ କ୍ଷେତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ନୂତନ ଜିଏସଟି ଢାଞ୍ଚା ଅଧୀନରେ, ୪ ମିଟରରୁ କମ୍ ଛୋଟ କାରଗୁଡ଼ିକୁ ୧୮% ସ୍ଲାବକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅଟୋମୋବାଇଲ ଉପରେ କ୍ଷତିପୂରଣ ସେସ୍ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି । ଏହି କାରଣରୁ ଜିଏସଟି ୨.୦ର ପ୍ରଥମ ଦିନରେ ମାରୁତି କାର କିଣିବା ଲାଗି କମ୍ପାନୀ ସହ ୮୦,୦୦୦ରୁ ଅଧିକ ଲୋକ ଯୋଗାଯୋଗ କରିଛନ୍ତି । ଗୋଟିଏ ଦିନରେ କମ୍ପାନୀର ୩୦,୦୦୦ କାର୍ ବିକ୍ରି ହୋଇଛି ଯାହା କି ଗତ ୩୫ ବର୍ଷ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଛୋଟ କାର୍ ବୁକିଂ ସାଧାରଣ ପାର୍ବଣ ଋତୁ ଦର ତୁଳନାରେ ୫୦% ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ହ୍ୟୁଣ୍ଡାଇର ବିଲିଂ ମଧ୍ୟ ୧୧ ହଜାରକୁ ବୃଦ୍ଧି ପାଇଛି ଯାହାକି ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ । ନବରାତ୍ରିର ପ୍ରଥମ ଦିନରେ ଟାଟା ମୋଟର୍ସ ୧୦,୦୦୦ କାର୍ ବିକ୍ରି କରିଥିବା ବେଳେ ୨୫,୦୦୦ ରୁ ଅଧିକ ଗ୍ରାହକ କାର କିଣିବାକୁ ଯୋଗାଯୋଗ କରିଛନ୍ତି ଯାହାକି ଏକ ରେକର୍ଡ । ପାର୍ବଣ ଋତୁର କମ୍ପାନୀ ପାଇଁ ଏହା ଦୃଢ଼ ଆରମ୍ଭ । ଶୋ’ରୁମ୍ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ଏବଂ ବୁକିଂ ମଧ୍ୟ ବଢ଼ିଛି । ଅଗଣିତ ପରିବାର ପାଇଁ ଜିଏସଟି ୨.୦ ଦୀର୍ଘ ଦିନର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛି । ଗାଡ଼ି କେବଳ ଅଧିକ ସୁଲଭ ହୋଇନାହିଁ ବରଂ ଏକ ପ୍ରକୃତ ଉତ୍ସବ କ୍ରୟର ଆନନ୍ଦ ଦେଇଛି । ଡିଜିଟାଲ୍ ବଜାରରେ ମଧ୍ୟ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । କ୍ରେତାମାନେ ପୋଷାକ ପରିଧାନ, ଘର ପାଇଁ ଆବଶ୍ୟକ ଜିନିଷପତ୍ର ଏବଂ ଉତ୍ସବ ପାଇଁ ଜିନିଷପତ୍ର କିଣାକିଣି କରିଛନ୍ତି । ଫ୍ଲିପକାର୍ଟ ଏବଂ ଆମାଜନ ସୋମବାର ଦିନ ଲୟାଲ୍ଟି ପ୍ରୋଗ୍ରାମ୍ ବ୍ୟବହାରକାରୀଙ୍କ ପାଇଁ ସେମାନଙ୍କର ପାର୍ବଣ ବିକ୍ରି କାର୍ଯ୍ୟକ୍ରମଗୁଡ଼ିକ ଆରମ୍ଭ କରିଥିଲେ । ଜିଏସଟି ହ୍ରାସ ଦ୍ୱାରା ପ୍ରାରମ୍ଭିକ ଆକର୍ଷଣ ବୃଦ୍ଧି ପାଇଥିବା ବିକ୍ରେତା ଏବଂ ବ୍ରାଣ୍ଡଗୁଡ଼ିକ କହିଛନ୍ତି । ଫେଶନ ବ୍ରାଣ୍ଡ ‘‘ଦି ପାଣ୍ଟ୍ ପ୍ରୋଜେକ୍ଟ’’ର ବିକ୍ରି ଗତ ବର୍ଷ ତୁଳନାରେ ୧୫-୨୦% ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଘରୋଇ ଆବଶ୍ୟକ ଜିନିଷପତ୍ର ବିକ୍ରି ଗତ ସପ୍ତାହ ତୁଳନାରେ ୧୫୧% ବୃଦ୍ଧି ପାଇଥିବା ଉଭୟ ବଜାରର ବିକ୍ରେତା ସାଡୋ ଏଟେଲ୍ କହିଛି । ସ୍ନିଚ୍ ଭଳି ଫେଶନ ବ୍ରାଣ୍ଡଗୁଡ଼ିକ ସେମାନଙ୍କର ଅନଲାଇନ୍ ଅର୍ଡରରେ ୪୦% ବୃଦ୍ଧି ପାଇଥିବା କହିଛନ୍ତି । ଜିଏସଟି ୨.୦ ଅଧୀନରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ଆଉ ଏକ ବଡ଼ ସଫଳତାର କାହାଣୀ ପାଲଟିଛି । ବିଭିନ୍ନ ପରିବାର ଅଧିକ ଚାହିଦା ଥିବା ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସର ସୁଯୋଗ ନେଉଛନ୍ତି । ସ୍ପ୍ଲିଟ୍ ଏସିର ମୂଲ୍ୟ ୩,୦୦୦-୫,୦୦୦ ଟଙ୍କା ହ୍ରାସ ପାଇଥିବାବେଳେ, ଉଚ୍ଚମାନର ଟିଭିର ମୂଲ୍ୟ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ୨୨ ସେପ୍େଟମ୍ବରରେ ହାୟର ଭଳି କମ୍ପାନୀର ବିକ୍ରି ଦୁଇ ଗୁଣ ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପୂର୍ବରୁ ମଧ୍ୟ ବହୁ ଗ୍ରାହକ ଆଗୁଆ ବୁକିଂ କରିଥିବା କମ୍ପାନୀ ସୂଚନା ଦେଇଛି । ସେହିପରି ବ୍ଲୁ ଷ୍ଟାରର ବିକ୍ରି ମଧ୍ୟ ପୂର୍ବ ବର୍ଷ ତୁଳନାରେ ୨୦% ବୃଦ୍ଧି ପାଇଛି । ଟିଭି ବିକ୍ରୟ ମଧ୍ୟ ବୃଦ୍ଧି ପାଇଛି, ବିଶେଷକରି ୪୩-ଇଞ୍ଚ ଏବଂ ୫୫-ଇଞ୍ଚ ସେଗମେଣ୍ଟରେ । ଫ୍ଲିପକାର୍ଟ ମାଧ୍ୟମରେ ମୁଖ୍ୟତଃ ବିକ୍ରୟ କରୁଥିବା ସୁପର ପ୍ଲାଷ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଭଳି କମ୍ପାନୀଗୁଡ଼ିକର ବିକ୍ରୟରେ ୩୦- ୩୫% ବୃଦ୍ଧି ଦେଖିବାକୁ ମିଳିଛି । ଜିଏସଟି ୨.୦ ପ୍ରଥମ ଦିନରୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିଛି ଏବଂ ଗ୍ରାହକଙ୍କ ଖୁସି ବଢ଼ାଇଛି । ଏହା ଘରୋଇ ଖର୍ଚ୍ଚ ହ୍ରାସ କରିବା ସହି ଶିଳ୍ପଗୁଡ଼ିକରେ ଚାହିଦାକୁ ପୁନର୍ଜୀବିତ କରିଛି । ରେକର୍ଡ ପରିମାଣର ବିକ୍ରି ସହିତ ପର୍ବପର୍ବାଣୀର ଖୁସିକୁ ବହୁଗୁଣିତ କରି ଦେଇଛି । କାର ଏବଂ ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ତେଜରାତି ଏବଂ ଫେଶନ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ର ଏହି ବୃଦ୍ଧି ଅନୁଭୂତ ହୋଇଛି । ଜିଏସଟି ୨.୦ କେବଳ ଏକ ଟିକସ ସଂସ୍କାର ନୁହେଁ, ଏହା ସଞ୍ଚୟର ଏକ ପର୍ବ ଯାହା ଚାହିଦାକୁ ବୃଦ୍ଧି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ମାଧ୍ୟମରେ ଦେଶବାସୀଙ୍କୁ ପ୍ରକୃତ ଦୀପାବଳି ଉପହାର ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.