ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧିତ
Prime Minister Modi will come to Jharsuguda, will address the people of Odisha
ଝାରସୁଗୁଡ଼ା/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ରୂପରେଖ କ’ଣ ରହିବ, କେଉଁଠୁ ଲୋକେ ଆସିବେ, କେତେ ଲୋକ ସାମିଲ୍ ହେବେ, ସୁରକ୍ଷା ବ୍ୟବସ୍ଥା କ’ଣ ରହିବ, ପାର୍କିଂ ସ୍ଥଳ କେଉଁଠି ହେବ ଆଦି ଦିଗ ଉପରେ ଘନ ଘନ ବୈଠକ ଆରମ୍ଭ ହୋଇଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ କମିସନର ସଚିନ୍ ରାମଚନ୍ଦ୍ର ଯାଦବ, ଉତ୍ତରାଞ୍ଚଳ ପୋଲିସ୍ ଆଇଜି ହିମାଂଶୁ ଲାଲ୍, ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ୱାଣ, ଏସ୍ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ପ୍ରମୁଖ ପ୍ରସ୍ତାବିତ ସଭା ସ୍ଥଳ ଅମଲୀପାଲିସ୍ଥିତ ପଡ଼ିଆରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହାପରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ମାରାଥନ୍ ବୈଠକ ହୋଇ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ସେପଟେ, ଆସନ୍ତା ୨୭ ତାରିଖ ଯାଏ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଥିବା ନେଇ ମଙ୍ଗଳବାର ଜିଲ୍ଲପାଳ ଏକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ବି ଅଧିକାରୀ ଯେଭଳି ମୁଖ୍ୟାଳୟ ନଛାଡ଼ିବେ ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ବର୍ତ୍ତମାନ ସୁଦ୍ଧା ପିଏମ୍ଓରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଜାରି କରାଯାଇନି, ତଥାପି ମଧ୍ୟ ସମସ୍ତ ଅଧିକାରୀ ଆଲର୍ଟ ରହିବାକୁ ଆଜିର ବୈଠକରେ ସୂଚନା ପ୍ରଦାନ କରାଯାଇଛି । ୨୭ ତାରିଖର କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଲୋକଙ୍କର ସମାଗମ ହେବାକୁଥିବା ବେଳେ କେଉଁ ଜିଲ୍ଲାରୁ କେତେ ଲୋକ ଆସିବେ ସେନେଇ ମଧ୍ୟ ଗତକାଲି ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି । ଏହାସହିତ ଝାରସୁଗୁଡ଼ା ବିମାନବନ୍ଦରରୁ ନେଇ ଅମଲୀପାଲି ପଡ଼ିଆ ଯାଏ ସୁରକ୍ଷା ବ୍ୟବସ୍ଥା, କେଉଁଠୁ କେତେ ଫୋର୍ସ ଆସିବେ ସେସମ୍ପର୍କରେ ବି ଆଲୋଚନା କରାଯାଇଥିଲା । ପୂର୍ତ୍ତ ବିଭାଗ, ପିଏଚ୍ଡି ବିଭାଗରୁ ନେଇ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟକୁ କାର୍ଯ୍ୟ ବଣ୍ଟନ କରାଯାଇଥିବା ବେଳେ ଟେଣ୍ଟ ବନ୍ଧା କାର୍ଯ୍ୟ ପାଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ପୂର୍ବ ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ବ୍ରହ୍ମପୁର ଗସ୍ତ କରିଥାନ୍ତେ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିଲା । ବ୍ରହ୍ମପୁରରେ ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗତ ୨୦ ତାରିଖ ଦିନ ବ୍ରହ୍ମପୁର ଗସ୍ତ କରିଥିଲେ । ସେଠାରେ ସେ ସମୀକ୍ଷା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଅନିବାର୍ଯ୍ୟ ବଶତଃ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବାତିଲ ହୋଇଯାଇଥିଲା । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କାର୍ଯ୍ୟକ୍ରମର ସ୍ଥାନ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ସେହି ସମୟରେ କୁହାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ାର ଅମୁଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ।