ନୂଆଦିଲ୍ଲୀ,୨୪ା୧୨: ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଆଉ ଜଣେ ଆଥଲେଟ ନିଜ ପଦ୍ମଶ୍ରୀ ଫେରାଇବା ପାଇଁ ଶନିବାର ଘୋଷଣା କରିଛନ୍ତି। ବଧିର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା କୁସ୍ତି ଯୋଦ୍ଧା ବୀରେନ୍ଦ୍ର ସିଂ ଯାଦବ ରେସଲରଙ୍କ ସମର୍ଥନରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ସିଂ ନିର୍ବାଚିତ ହେବା ପରେ ଅବସର ଗ୍ରହଣ କରିଥିବା ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ପ୍ରତି ନିଜର ଦୃଢ ସମର୍ଥନ ଜାହିର କରିବା ସହିତ ପୁରସ୍କାର ଫେରାଇବେ ବୋଲି ସେ ସୋସିଆଲ ମିଡିଆ “ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ନିଜ ପୁରସ୍କାର ଫେରସ୍ତ କରିଥିଲେ। “ମୋ ଭଉଣୀ ଓ ଦେଶର ଝିଅଙ୍କ ସମ୍ମାନ ପାଇଁ ମୁଁ ମଧ୍ୟ ତାହା କରିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମୁଁ ଆପଣଙ୍କ ଝିଅ ତଥା ମୋ ଭଉଣୀ ସାକ୍ଷୀ ମଲିକ୍ଙ୍କ ପାଇଁ ଗର୍ବିତ’ ବୋଲି ବୀରେନ୍ଦ୍ର “ଏକ୍ସ’ରେ ଲେଖିଥିଲେ। ଏହା ସହିତ ଦେଶର ସ୍ପୋଟର୍ସ ଆଇକନ ସଚିନ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କ ପରି ଖେଳାଳିଙ୍କୁ ଏହି ଘଟଣା ଉପରେ ନିଜ ମତ ରଖିବା ପାଇଁ ସେ ଅନୁରୋଧ କରିଥିଲେ। ସେ ଉଭୟ ତେନ୍ଦୁଲକର ଓ ନୀରଜ ଚୋପ୍ରାଙ୍କୁ ଏହି ପୋଷ୍ଟରେ ଟ୍ୟାଗ ମଧ୍ୟ କରିଥିଲେ। ବୀରେନ୍ଦ୍ରଙ୍କୁ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୫ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗୁରୁବାର ସଞ୍ଜୟ ସିଂ ଡବ୍ଲୁଏଫ୍ଆଇ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହା ସହିତ ଡବ୍ଲୁଏଫ୍ଆଇର ସମୁଦାୟ ୧୫ ପଦବୀ ମଧ୍ୟରୁ ୧୩ଟିରେ ବ୍ରିଜଭୂଷଣଙ୍କ ସମର୍ଥକ ବିଜୟୀ ହୋଇଥିଲେ। ଏହାପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଏକ ଖବରଦାତା ସମ୍ମିଳନୀ କରିଥିଲେ। ସାକ୍ଷୀ ଅବସର ଘୋଷଣା କରିଥିବା ବେଳେ ବଜରଙ୍ଗ ଗୋଟିଏ ଦିନ ପରେ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଥିଲେ। ପୂର୍ବରୁ ମେ’ ୩୦ ତାରିଖରେ କୁସ୍ତିଯୋଦ୍ଧାମାନେ ନିଜର ପଦକ ଗଙ୍ଗାରେ ଭସାଇବା ପାଇଁ ଯାଇଥିବା ବେଳେ •ଷୀ ନେତାମାନଙ୍କ ଅନୁରୋଧ କ୍ରମେ ଏଥିରୁ ନିବୃତ୍ତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.