“ପୁଷ୍କରା’କୁ ଜାତୀୟ ଫିଲ୍ମ ପୁରସ୍କାର, ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା
"Pushkara wins National Film Award, Shahrukh and Vikrant win Best Actor"
ନୂଆଦିଲ୍ଲୀ, ୧ା୮ : ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ଜାତୀୟ ଫିଲ୍ମ ପୁରସ୍କାରରେ ବାଜି ମାରିଛି ଓଡ଼ିଆ ସିନେମା ‘ପୁଷ୍କରା’ । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରେ ପ୍ରସ୍ତୁତ ‘ପୁଷ୍କରା’ । ପୁଷ୍କରାର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାଶ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଓଡ଼ିଶାର ପ୍ରଖ୍ୟାତ ଅଭିନେତା ସବ୍ୟସାଚୀ ମିଶ୍ର । ପୁଷ୍କରା ସିନେମା ୨୦୨୩ରେ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ବ୍ୟତୀତ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର ଓ ଶଙ୍କର ପ୍ରଧାନ ପ୍ରମୁଖ ବିଭିନ୍ନ ଚରିତ୍ରରେ ନଜର ଆସିଥିଲେ । ଫିଲ୍ମର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ । ଏଥିରେ ପୁଷ୍କରା ପରମ୍ପରାକୁ ବଡ଼ ସ୍କ୍ରିନରେ ପ୍ରଦର୍ଶିତ କରାଯାଇଥିଲା । ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ମୌଳିକ ପରମ୍ପରାକୁ ପୂରା ଓଡ଼ିଶା ଦେଖିଥିଲା । ଏବେ ଏହାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି । ଉପନ୍ୟାସ “ନାଦବିନ୍ଦୁ’ର ଆଧାରରେ ତିଆରି ହୋଇଥିବା ଏ ଫିଲ୍ମ ପୁଣିଥରେ ଓଡ଼ିଆ ସିନେମା ଓ ସାହିତ୍ୟର ହଜି ଯାଇଥିବା ସଂପର୍କକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା । ଓଡ଼ିଆ ସିନେମାରେ ଆଉ ପରମ୍ପରାର, ନିଚ୍ଛକ ଚିତ୍ର, ଗମ୍ଭୀର ପ୍ରସଙ୍ଗ ବା ମେଳିକ କାହାଣୀ ଦେଖିବାକୁ ମିଳୁ ନଥିବା ଅଭିଯୋଗ ହେଉଥିବା ବେଳେ ପୁଷ୍କରା ରିଲିଜ ହୋଇଥିଲା । ପ୍ରତିଦିନ ମରଣକୁ ଛୁଇଁ ଅନ୍ୟର ପାପକୁ ନିଜ କାନ୍ଧରେ ବୋହି ମରିବାକୁ ନିଜ ବେଉସା କରିଥିବା ପୁଷ୍କରାର କାହାଣୀକୁ ଫିଲ୍ମରେ ଦେଖାଯାଇଥିଲା । ଫିଲ୍ମରେ ପ୍ରସିଦ୍ଧ ଲୋକଗୀତ “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ’ ରହିଥିଲା । ପୁରାତନ ଏ ଗୀତକୁ ଆଧୁନିକ ଓ ଯୁବ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ଅନ୍ୟପକ୍ଷରେ ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ‘ଯବାନ’ ପାଇଁ ଶାହରୁଖ ଓ “ଟ୍ୱେଲ୍ଥ ଫେଲ’ ପାଇଁ ବିକ୍ରାନ୍ତଙ୍କୁ ଏହି ସଫଳତା ମିଳିଛି । ଉଭୟ ପ୍ରଥମ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ବିଧୁ ବିନୋଦ ଚୋପ୍ରା ପ୍ରଯୋଜିତ “ଟ୍ୱେଲ୍ଥ ଫେଲ’ ଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ପାଇଛି । ଆଇପିଏସ୍ ମନୋଜ ଶର୍ମାଙ୍କ ସଂଘର୍ଷମୟ ଯାତ୍ରାକୁ ନେଇ “ଟ୍ୱେଲ୍ଥ ଫେଲ’ ଫିଲ୍ମ ତିଆରି ହୋଇଥିଲା । ‘ରକି ଔର ରାନୀ କି ପ୍ରେମ୍ କାହାନୀ’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି । ରାଣୀ ମୁଖାର୍ଜୀ ହେଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ । ‘ମିସେସ୍ ଚାଟାର୍ଜୀ ଠଝ ନରୱେ’ ଫିଲ୍ମ ପାଇଁ ରାଣୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି ।