ପ୍ରିୟଙ୍କା ପାରମ୍ପରିକ ଭାବେ ସୁନ୍ଦର ନଥିଲେ: ପ୍ରଯୋଜକ ସୁନୀଲ ଦର୍ଶନ
ମୁମ୍ବାଇ, : ପ୍ରିୟଙ୍କା ଚୋପ୍ରା ଆଜି ଜଣେ ବିଶ୍ୱସ୍ତରୀୟ ଆଇକନ୍ ପାଲଟିଛନ୍ତି । ସେ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି । ବଲିଉଡରୁ ଦୂରେଇ ଯିବା ପରେ ସେ ଅନେକ ହଲିଉଡ ଫିଲ୍ମ ଏବଂ ଧାରାବାହିକରେ ଅଭିନୟ କରିଥିଲେ । ସେଠାରେ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିବା ବେଳେ ଆଜି ସେ ହଲିଉଡରେ ଏକ ଜଣାଶୁଣା ନାମ ପାଲଟିଛନ୍ତି । ଯଦି ଆମେ ତାଙ୍କ କ୍ୟାରିୟର କଥା କହିବା ତେବେ ସେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ଅନିଲ ଶର୍ମାଙ୍କ ‘ହିରୋ: ଦି ଲଭ୍ ଷ୍ଟୋରି ଅଫ୍ ଏ ସ୍ପାଏ\’ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କୁ ସନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ସହ ଦେଖିବାକୁ ମିଳିଥିଲା । ଏହା ପରେ ଅଭିନେତ୍ରୀଙ୍କୁ ଅକ୍ଷୟ କୁମାର ଏବଂ ଲାରା ଦତ୍ତାଙ୍କ ସହିତ ଫିଲ୍ମ ‘ଅନ୍ଦାଜ୍\’ରେ କାଷ୍ଟ କରାଯାଇଥିଲା । କିନ୍ତୁ, ତାଙ୍କ କ୍ୟାରିଅରର ପ୍ରାରମ୍ଭରେ ନାକ ସର୍ଜରୀ ଯୋଗୁଁ ପ୍ରିୟଙ୍କାଙ୍କ ନାକର ଆକାର ପରିବର୍ତ୍ତନ ହୋଇଥିଲା । ଡାକ୍ତର ଭୁଲବଶତଃ ତାଙ୍କ ନାକର ତଳ ଅଂଶ କାଟି ଦେଇଥିଲେ, ଯାହା ତାଙ୍କ ମୁହଁକୁ ବଦଳାଇ ଦେଇଥିଲା । ଏବେ ‘ଅନ୍ଦାଜ୍\’ର ପ୍ରଯୋଜକ ସୁନୀଲ ଦର୍ଶନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ପ୍ରିୟଙ୍କାଙ୍କୁ ନାକ ସର୍ଜରୀ କରିବାକୁ କହିଥିଲେ । ତାଙ୍କ କହିବା ମୁତାବକ, ପ୍ରିୟଙ୍କା ପାରମ୍ପରିକ ଭାବରେ ସୁନ୍ଦର ନଥିଲେ । କିନ୍ତୁ ତାଙ୍କର ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ଏକ ଆକର୍ଷଣୀୟ ସ୍ୱର ଥିଲା । ‘ଅନ୍ଦାଜ୍\’ ସେଟରେ ଅକ୍ଷୟ ଏବଂ ଲାରାଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଥିଲେ ବି ସେ ସର୍ବଦା ତାଙ୍କ କ୍ଷମତା ଉପରେ ବିଶ୍ୱାସ କରୁଥିଲେ ।