ବାପା ହେବା ନେଇ ଘୋଷଣା କଲେ ରାଜକୁମାର ରାଓ

35

ନୂଆଦିଲ୍ଲୀ, : ବଲିଉଡର ସାନଦାର ଜୋଡି ରାଜକୁମାର ରାଓ ଏବଂ ପତ୍ରଲେଖା ସେମାନଙ୍କର ପ୍ରଥମ ସନ୍ତାନର ଆଗମନ ଘୋଷଣା କରି ପ୍ରଶଂସକମାନଙ୍କୁ ଖୁସି କରିଦେଇଛନ୍ତି । ବୁଧବାର ଦମ୍ପତିଦ୍ୱୟ ଇନଷ୍ଟାଗ୍ରାମରେ ଏକ ଆକର୍ଷଣୀୟ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି ‘ବେବି ଅନ୍ ଦ ୱେ’ ଏବଂ ଏକ ଷ୍ଟ୍ରୋଲରର ଚିତ୍ର ସହିତ କ୍ୟାପସନରେ ସେ ବହୁତ ଖୁସି ଲେଖିଛନ୍ତି । ରାଜକୁମାର ଏବଂ ପତ୍ରଲେଖା ୨୦୧୦ ମସିହାରୁ ଏକାଠି ରହି ଆସିଥିଲେ ଏବଂ ୨୦୨୧ ମସିହା ନଭେମ୍ବର ମାସରେ ଚଣ୍ଡୀଗଡ଼ରେ ଏକ ଘରୋଇ ବିବାହ ଉତ୍ସବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କର ଏହି ଘୋଷଣା ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁସିର ଲହରୀ ଖେଳିଯାଇଛି । କିଆରା ଆଡଭାନୀ, ଫରାହ ଖାନ, ବରୁଣ ଧାୱାନ, ସୋନମ କପୁର, ନେହା ଧୂପିଆ ଏବଂ ଅନ୍ୟାନ୍ୟ ସେଲିବ୍ରିଟିମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫରାହ ଖାନ ମଜାଳିଆ ଢଙ୍ଗରେ କମେଣ୍ଟ କରିଛନ୍ତି, ଶେଷରେ ଖବର ଆସି ପହଞ୍ଚିଲା!! ମୁଁ ଏହି ଖବରକୁ ନିଜ ମଧ୍ୟରେ ଚାପି ରଖିବାକୁ ବହୁତ କଷ୍ଟ ପାଉଥିଲି… ଶୁଭେଚ୍ଛା ଦୁହିଁଙ୍କୁ । ଏହି ଦମ୍ପତିଙ୍କର ପ୍ରେମ ପଛରେ ମଧ୍ୟ ଏକ ଦମଦାର କାହାଣୀ ରହିଛି । ପତ୍ରଲେଖା ରାଜକୁମାରଙ୍କୁ ପ୍ରଥମେ “ଲଭ, ସେକ୍ସ ଔର ଧୋଖା’ ଚଳଚ୍ଚିତ୍ରରେ ଦେଖିଥିଲେ ଏବଂ ତାଙ୍କ ଅଭିନୟରେ ମୁଗ୍ଧ ହୋଇଥିଲେ । ଅନ୍ୟପକ୍ଷରେ, ରାଜକୁମାର ପତ୍ରଲେଖାଙ୍କୁ ଏକ ବିଜ୍ଞାପନରେ ଦେଖି ତାଙ୍କୁ ମନେମନେ ଭଲ ପାଇଦେଇଥିଲେ । ସେମାନେ ୨୦୧୪ ମସିହାରେ “ସିଟିଲାଇଟ୍ସ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ପରସ୍ପରକୁ ଭେଟିଥିଲେ, ଯାହା ପତ୍ରଲେଖାଙ୍କ ପାଇଁ ଏକ ବଲିଉଡ ଡେବୁ୍ୟ ଥିଲା । କାର୍ଯ୍ୟ କ୍ଷେତ୍ରରେ, ରାଜକୁମାର ରାଓ ତାଙ୍କର ଆଗାମୀ ଚଳଚ୍ଚିତ୍ର “ମାଲିକ’ ପାଇଁ ପ୍ରସ୍ତୁତି ହେଉଛନ୍ତି । ଯାହା ଏକ କ୍ରାଇମ ଡ୍ରାମା ଥ୍ରୀଲର ଚଳଚ୍ଚିତ୍ର ଯାହା ଆସନ୍ତା ଜୁଲାଇ ୧୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଅନ୍ୟପକ୍ଷରେ, ପତ୍ରଲେଖାଙ୍କର ସାମ୍ପ୍ରତିକ ଚଳଚ୍ଚିତ୍ର “ଫୁଲେ’ ଥିଲା । ଯେଉଁଥିରେ ସେ ସାମାଜିକ ସଂସ୍କାରକ ସାବିତ୍ରୀବାଇ ଫୁଲେଙ୍କ ଚରିତ୍ରରେ ଅଭିନୟ କରି ପ୍ରଶଂସା ଅର୍ଜନ କରିଥିଲେ । ଏହି ଘୋଷଣା ପୂର୍ବରୁ ମଧ୍ୟ ପତ୍ରଲେଖାଙ୍କ ଗର୍ଭଧାରଣ ନେଇ ଅନେକ ଗୁଜବ ଚାଲିଥିଲା । ସମ୍ପ୍ରତି ଏକ ପୁରସ୍କାର ଉତ୍ସବରେ ତାଙ୍କୁ ଢିଲା ଭାବେ ପରିଧାନ କରାଯାଇଥିବା ଶାଢୀରେ ଦେଖାଯାଇଥିଲା, ଯେଉଁଥିରେ କିଛି ପ୍ରଶଂସକ ତାଙ୍କର ବେବି ବମ୍ପ ଦେଖିଥିବା ଦାବି କରିଥିଲେ । ତେବେ, ଏବେ ଏହି ଦମ୍ପତିଙ୍କର ଅଫିସିଆଲ ଘୋଷଣା ସେହି ଗୁଜବକୁ ସତ କରିଛି ଏବଂ ପ୍ରଶଂସକମାନେ ଏହି ନୂଆ ଅଧ୍ୟାୟ ପାଇଁ ସେମାନଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.